fbpx

ଲୋକସଭା ନିର୍ବାଚନର ୬ ମାସ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ, ଏମିତି କାହିଁକି କହିଲେ ଟିଏମସି ସାଂସଦ

କୋଲକାତା: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି) ୨୦୨୪ ଲୋକସଭା ନିର୍ବାଚନର ଛଅ ମାସ ପୂର୍ବରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରୁଛି। ଏମିତି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା। ଇକୋନୋମିକ୍ସ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ରାଜ୍ୟସଭା ସାଂସଦ ତଥା ଟିଏମସିର ଜାତୀୟ ମୁଖପାତ୍ର ସୁଖେନ୍ଦୁ ଶେଖର ରାୟ ଦାବି କରିଛନ୍ତି ଯେ, ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ବିଜେପି ଏମିତି ରଣନୀତି ପ୍ରସ୍ତୁତ କରୁଛି।

ଟିଏମସି ସାଂସଦଙ୍କ ଅନୁଯାୟୀ, ବିଜେପି ଉତ୍ତର ବଙ୍ଗାଲକୁ ରାଜ୍ୟର ବାକି ଅଂଶରୁ ଅଲଗା କରିବା, ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଚିନ୍ତା ବ୍ୟକ୍ତ କରିବା, ସିବିଆଇ ଏବଂ ଅନ୍ୟ ଏଜେନ୍ସିର ଉପଯୋଗ ଏବଂ ରାଜ୍ୟପାଳଙ୍କୁ କେନ୍ଦ୍ର ଏବଂ ବିଜେପି ପାର୍ଟିର ଏଜେଣ୍ଟ ଭାବେ ବ୍ୟବହାର କରି ନିଜ ଯୋଜନା ଲାଗୁ କରିବା ପାଇଁ କାମ କରୁଛି। ଏସବୁ କରିବାର କାରଣ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମାହୋଲ ତିଆରି କରିବା।

ରାୟ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ନିକଟରେ ନିଜର ପଶ୍ଚିମବଙ୍ଗ ଯାତ୍ରା ସମୟରେ ନିଜ ରାଲି ପାଇଁ ଉତ୍ତର ବଙ୍ଗାଲ ବାଛିଛନ୍ତି। କେନ୍ଦ୍ର ସରକାର ଦେଶକୁ ବିଭାଜନ କରିବା ଏବଂ ରାଜ୍ୟର ବାକି ଅଂଶରୁ ଉତ୍ତର ବଙ୍ଗାଲକୁ କାଠିବା ପାଇଁ ଉଦ୍ୟମ କରୁଛନ୍ତି। କାରଣ ବିଜେପି ବେଶ୍ ଭଲ ଭାବେ ଜାଣିଛି ଯେ, ଏମିତି ନକଲେ ନିର୍ବାଚନ ଜିତି ପାରିବେ ନାହିଁ। ଯଦି ଏମିତି ନୁହେଁ ତେବେ ପାର୍ଟିର ବିଧାୟକ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଅଲଗା ଉତ୍ତର ବଙ୍ଗାଲ ପ୍ରସଙ୍ଗ ମଞ୍ଚରେ କେମିତି ଉଠାଇଥାଆନ୍ତେ।

Get real time updates directly on you device, subscribe now.