fbpx

ପ୍ରଧାନମନ୍ତ୍ରୀ ଓ ସ୍ୱିସ ବ୍ୟାଙ୍କରୁ ଟଙ୍କା… ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଭାଙ୍ଗିବା ମାମଲାରେ ଦିଲ୍ଲୀ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ମାଷ୍ଟରମାଇଣ୍ଡ ଲଳିତ ଝା ମଧ୍ୟ ଗିରଫ ହୋଇଛି । ତେବେ ସଂସଦରେ ଅନୁପ୍ରବେଶ କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ୭ ଦିନ ପାଇଁ ହେପାଜତକୁ ନେଇଛି । ତେବେ ଏହାର କିଛି ଘଣ୍ଟା ଭିତରେ ହିଁ ଏକ ବଡ଼ ଖୁଲାସା କରିଛି ଦିଲ୍ଲୀ ପୋଲିସ । ଏମିତି କାଣ୍ଡ ଘଟାଇବା ପଛରେ ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ସେ ନେଇ ପୋଲିସ ସୂଚନା ଦେଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱିସ ବ୍ୟାଙ୍କରୁ ଟଙ୍କା ସହ ଜଡ଼ିତ ଥିବା କହିଛି ଦିଲ୍ଲୀ ପୋଲିସ ।

ପୋଲିସର ସୂଚନା ଅନୁସାରେ, ଲୋକସଭାର ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିଥିବା ୨ ଅଭିଯୁକ୍ତ ୧୯୨୯ ମସିହା ଘଟଣାକୁ ଦୋହରାଇବାକୁ ଚେଷ୍ଟା କରିଥିଲେ । ବ୍ରିଟିଶ ଶାସନ ସମୟରେ କ୍ରାନ୍ତିକାରୀ ସହୀଦ ଭଗତ ସିଂହଙ୍କ ଦ୍ୱାରା ହୋଇଥିବା ‘ସେଣ୍ଟ୍ରାଲ ଆସେମ୍ବଲୀ’ ଭିତରେ ବୋମା ଫିଙ୍ଗିବା ଘଟଣାର ଏମାନେ ପୁନରାବୃତ୍ତି କରିଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କ ପାଖରୁ ଏକ ଚିଠି ଜବତ ହୋଇଛି । ଏଥିରେ ଏଭଳି କାଣ୍ଡର ଉଦ୍ଦେଶ୍ୟ ଥିବା କୁହାଯାଇଛି । ତେବେ ଏହି ଚିଠିରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ନିଖୋଜ ଅଛନ୍ତି ଏବଂ ଯିଏ ତାଙ୍କୁ ଖୋଜି ବାହାର କରିବେ ତାଙ୍କୁ ସ୍ୱିସ ବ୍ୟାଙ୍କରୁ ଟଙ୍କା ଦିଆଯିବ ।

ପୋଲିସ କହିବା ଅନୁସାରେ, ସ୍ପ୍ରେ କେନ୍ ଲୁଚାଇ ରଖିବା ପାଇଁ ଅଭିଯୁକ୍ତଙ୍କ ଜୋତା ବିଶେଷ ଭାବରେ ଡିଜାଇନ୍ କରାଯାଇଥିଲା । ଏହାବ୍ୟତୀତ ଏମାନେ ସଂସଦ ଭିତରେ କାଗଜ ଫିଙ୍ଗିବା ନେଇ ମଧ୍ୟ ଯୋଜନା ରଖିଥିଲେ । ତେବେ ଏମାନଙ୍କ ପାଖରୁ ଜବତ ହୋଇଥିବା ପୋଷ୍ଟରଗୁଡ଼ିକରେ ଯୁବପିଢୀଙ୍କୁ ସରକାରଙ୍କ ବିରୋଧରେ ଉସକାଇବା ଭଳି ସ୍ଲୋଗାନ୍ ଲେଖା ଯାଇଥିବା କହିଛି ପୋଲିସ । ସେହିଭଳି ଏକ ସ୍ଲୋଗାନରେ ଲେଖା ଯାଇଛି ଯେ, ଦେଶ ପାଇଁ ଯେଉଁ ରକ୍ତ ଗରମ ହୁଏ ନାହିଁ, ତାହା ରକ୍ତ ନୁହେଁ ପାଣି । ଏଭଳି ଅନେକ ସ୍ଲୋଗାନ ସହ ସଂସଦର ଶୂନ୍ୟକାଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅଭିଯୁକ୍ତ ।

Get real time updates directly on you device, subscribe now.