‘ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ’ କହିଲେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଅର୍ଥିକ ସଂକଟ ଦେଇ ଗତି କରୁଛି ୟୁକ୍ରେନ୍ । ତେବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମେଡ଼ିକାଲ ଛାତ୍ରଙ୍କୁ ୟୁକ୍ରେନ୍ ପଠାଇବା ପାଇଁ ଭାରତକୁ ନିବେଦନ କରିଛନ୍ତି ଡେନିସ୍ ଶମିହାଲ । ଏହା ସହ ୟୁକ୍ରେନର ସହଯୋଗ ଏବଂ ମାନବୀୟ ସମର୍ଥନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ କହିଛନ୍ତି ଯେଉଁଭଳି ଭାବରେ ଭାରତ ପ୍ରଗତି ପଥରେ ଅଗ୍ରଗତି କରୁଛି ତାହା ପ୍ରଶଂସନୀୟ । ଗଣତନ୍ତ୍ର ଏବଂ ବିବିଧତା ମଧ୍ୟରେ ଏକତା ମୂଲ୍ୟବୋଧ ଭାରତକୁ ପ୍ରକୃତ ପରିଭାଷିତ କରେ ବୋଲି ପ୍ରଶଂସା କରି କହିଛନ୍ତି । ଭାରତ ହେଉଛି ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ । ବଡ଼ ଅର୍ଥବ୍ୟବସ୍ଥା ଦେଶରେ ଭାରତ ସାମିଲ ରହିଛି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଏପରି ଜଣେ ବ୍ୟକ୍ତିତ୍ୱ ଭାବରେ ଦେଖାଯାଉଛି ଯିଏ କି ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ G-20 ଦେଶର ବଡ଼ ନେତା ଭାବରେ ଜଣାଶୁଣା ।