ଟିମ ଇଣ୍ଡିଆକୁ ଝଟକା, ଟେଷ୍ଟ ଦଳରୁ ବାଦ୍ ପଡ଼ିବେ ବୁମରାହ! ଟାର୍ଗେଟରେ ICC ଟ୍ରଫି
ପିଠିରେ ଯନ୍ତ୍ରଣା, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିବେ ବୁମରାହ! ଚିନ୍ତାରେ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ହରାଇ ସାରିଛି ଟିମ ଇଣ୍ଡିଆ । ଏହାସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରୁ ମଧ୍ୟ ଭାରତ ବାଦ୍ ପଡ଼ିଛି । ତେବେ ଏହାପୂର୍ବରୁ ଦଳକୁ ଆଉ ଏକ ଶକ୍ତ ଝଟକା ଲାଗିଛି ।
ଟେଷ୍ଟ ସିରିଜ ଖେଳିବେନି ବୁମରାହ: ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଏହି ସିରିଜରେ ଗୁରୁ ଗମ୍ଭୀର ଏବଂ ମ୍ୟାନେଜମେଣ୍ଟ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏହି ସିରିଜରେ ବୁମରାହଙ୍କୁ ଦଳରୁ ବାଦ୍ ଦେଇପାରେ ଟିମ ଇଣ୍ଡିଆ ।
ଆହତ ସମସ୍ୟାକୁ ନେଇ ଚିନ୍ତା: ପିଠିରେ ଯନ୍ତ୍ରଣା ଯୋଗୁଁ ବୁମରାହ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ଅଧାରୁ ପଡ଼ିଆ ଛାଡ଼ିଥିଲେ । ପରେ ଦ୍ୱିତୀୟ ଇନିଂସରେ ମଇଦାନକୁ ଫେରିଥିଲେ ମଧ୍ୟ ସେ ବୋଲିଂ କରିବାକୁ ସକ୍ଷମ ହୋଇନାହାନ୍ତି । ତେଣୁ ଆଗାମୀ ସିଜନରେ ଦଳ ତାଙ୍କୁ ବିଶ୍ରାମ ଦେଇପାରେ ।
ବର୍ଡର ଗାଭାସ୍କର ଟ୍ରଫିରେ ବୁମରାହ ପ୍ରାୟ ୧୫୦ ଓଭର ବୋଲିଂ କରିଥିବା ବେଳେ ବର୍ତ୍ତମାନ ପିଠି ଯନ୍ତ୍ରଣାର ସମ୍ମୁଖୀନ ହୋଇଛନ୍ତି । ତେଣୁ ବୁମରାହଙ୍କୁ ୱାର୍କଲୋଡ ମ୍ୟାନେଜମେଣ୍ଟ ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇପାରେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବୁମରାହଙ୍କ ସ୍ଥାନରେ ଅନ୍ୟ କୌଣସି ବୋଲର ଦଳରେ ସ୍ଥାନ ପାଇପାରନ୍ତି ।
ଭାରତ ନଜରରେ ଚମ୍ପିଆନ୍ସ ଟ୍ରଫି: ଆସନ୍ତା ଫେବୃଆରୀରୁ ଭାରତ ଚମ୍ପିଆନ୍ସ ଟ୍ରଫି ପାଇଁ ଦୁବାଇ ଗସ୍ତ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ପାଇଁ ପ୍ରମୁଖ ଭୂମିକା ତୁଲାଇପାରନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ।
ଟି-୨୦ ଚମ୍ପିଆନ୍ ହେବା ପରେ ବର୍ତ୍ତମାନ ଚମ୍ପିଆନ୍ସ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତେଣୁ ଏହି ସିରିଜରେ ବୁମରାହଙ୍କ ଭୂମିକାକୁ ନଜରରେ ରଖି ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ଦେଇପାରେ ।
କେତେ ଦିନ ବିଶ୍ରାମ: ଯଦି ବୁମରାହଙ୍କ ପିଠି ଯନ୍ତ୍ରଣା ଗ୍ରେଡ-ଏ ଶ୍ରେଣୀର ହୋଇଥାଏ, ତେବେ ତାଙ୍କୁ ଅତି କମରେ ୩ ସପ୍ତାହ ପର୍ଯ୍ୟନ୍ତ ରିହାବିଲିଟେସନରେ ରହିବାକୁ ହେବ । ଏହାପରେ ସେ ଦଳକୁ କମବ୍ୟାକ କରିପାରିବେ ।
କିନ୍ତୁ ଆହତ ସମସ୍ୟା ଗ୍ରେଡ-ବି ଶ୍ରେଣୀର ହୋଇଥିଲେ ୬ ସପ୍ତାହ ଏବଂ ଗ୍ରେଡ-ସି ଶ୍ରେଣୀ ଆହତ ସମସ୍ୟା ପାଇଁ ବୁମରାହଙ୍କୁ ଅତି କମରେ ୩ ମାସ ପର୍ଯ୍ୟନ୍ତ ବିଶ୍ରାମ ଦେବାକୁ ପଡ଼ିପାରେ ।