ସରକାରଙ୍କ ବଡ଼ ନିଷ୍ପତ୍ତି, ଇଣ୍ଟର୍ଣ୍ଣଶିପ୍ ସ୍କିମରେ CSR ପାଣ୍ଠିର ୬୦ ପ୍ରତିଶତ ଖର୍ଚ୍ଚ କରିପାରିବେ ପବ୍ଲିକ୍ ସେକ୍ଟର କମ୍ପାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପବ୍ଲିକ୍ ସେକ୍ଟର କମ୍ପାନୀ ସେମାନଙ୍କ CSR ଟଙ୍କା, ଉଚ୍ଚାଭିଳାଷୀ ଯୋଜନାରେ ଖର୍ଚ୍ଚ କରିପାରିବେ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରୁ ସରକାର ପବ୍ଲିକ ସେକ୍ଟର କମ୍ପାନୀଙ୍କCSR ଗାଇଡଲାଇନ୍ସରେ ସଂଶୋଧନ କରିଛନ୍ତି । ଏବେ ଏହି କମ୍ପାନୀର CSRରେ ସାଧାରଣ ବିଷୟ କିମ୍ବା ଥୀମ୍ ଆଧାରିତ ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣଶିପ୍ ସ୍କିମ୍ ଅନ୍ତର୍ଭୂକ୍ତ ରହିବ ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟର ନିଜ ସାମାଜିକ ଦାୟିତ୍ୱକୁ ପୁରା କରିବା ପାଇଁ ପବ୍ଲିକ୍ ସେକ୍ଟର କମ୍ପାନୀ କୌଣସି ଥୀମ୍ ବା ବିଷୟ ନିଶ୍ଚିତ କରିଥାନ୍ତି । ଏହି ଥୀମ୍ ଆଧାରରେ ସେମାନଙ୍କୁ ସିଏସଆର୍ ପାଣ୍ଠିର ୬୦% ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେ ଆହୁରି ମଧ୍ୟ କହିଛନ୍ତି କି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ CSR ପାଇଁ ସାଧାରଣ ବିଷୟ ଭାବରେ ‘ହେଲ୍‌ଥ ଆଣ୍ଡ୍ ନ୍ୟୁଟ୍ରିସନ୍‌’କୁ ପିଏମ୍ ଇଣ୍ଟର୍ଣ୍ଣଶିପରେ ଅନ୍ତର୍ଭୂକ୍ତ କରାଯାଇଛି । ମିନିଷ୍ଟ୍ରି ଅଫ୍ କର୍ପୋରେଟ୍ ଆଫେୟାର୍ସ ଚଳିତ ମାସରୁ ଇଣ୍ଟର୍ଣ୍ଣଶିପ୍ ସ୍କିମ୍  ଅନ୍ତର୍ଗତ କମ୍ପାନୀ ତଥା ଇଣ୍ଟର୍ଣ୍ଣଙ୍କ ପାଇଁ ପଞ୍ଜିକରଣ ଆରମ୍ଭ କରିଛି । ଏହା ଅନ୍ତର୍ଗତ ଆସନ୍ତା ୫ ବର୍ଷରେ ୧ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣଶିପ୍ ଦିଆଯିବ । ପାଇଲଟ୍ ପ୍ରେଜେକ୍ଟ ଅନ୍ତର୍ଗତ ୧୨ ମାସର ଏହି ଇଣ୍ଟର୍ଣ୍ଣଶିପ୍ ଡିସେମ୍ବର ୨ରୁ ଆରମ୍ଭ ହେବ । ଏଥିରେ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅକଳନ କରାଯାଉଛି । ମାର୍ଚ୍ଚ ୨୦୨୫ ସୁଦ୍ଧା ୧.୨୫ ଲକ୍ଷ ଯୁବକଙ୍କୁ ଏହି ଇଣ୍ଟର୍ଣ୍ଣଶିପ ଅନ୍ତର୍ଗତ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ତେବେ ଆସନ୍ତା ଅକ୍ଟୋବର ୨୫ ସୁଦ୍ଧା ଏହି ସ୍କୀମ୍ ଅନ୍ତର୍ଗତ ପଞ୍ଜିକରଣ କରାଯାଇପାରିବ । ଅକ୍ଟୋବର ୨୬ରେ ଯୁବ ପ୍ରାର୍ଥୀଙ୍କ ଚୟନ ହେବ । ଏହା ପରେ ଅକ୍ଟୋବର ୨୭ରୁ ନଭେମ୍ବର ୭ ପର୍ଯ୍ୟନ୍ତ କମ୍ପାନୀ ସର୍ଟଲିଷ୍ଟେଡ୍ ପ୍ରାର୍ଥୀଙ୍କ ମଧ୍ୟରୁ ଚୟନ କରିବ । ନଭେମ୍ବର ୮-୧୫ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଅଫର ସ୍ୱୀକାର କରିବା ପାଇଁ ସମୟ ଦିଆଯିବ । କହିରଖୁଛୁ ଗୋଟିଏ ପ୍ରାର୍ଥୀଙ୍କୁ ସର୍ବାଧିକ ୩ଟି ଅଫର ଦିଆଯିବ । ପିଏମ୍ ଇଣ୍ଟର୍ଣ୍ଣଶିପ୍ ଯୋଜନା ଅନ୍ତର୍ଗତ ଶୀର୍ଷ ୫୦୦ କମ୍ପାନୀ ୨୧ରୁ ୨୪ ବର୍ଷୀୟ ଯୁବକଙ୍କୁ ଇଣ୍ଟର୍ଣ୍ଣଶିପ୍ ସୁଯୋଗ ପ୍ରଦାନ କରିବେ । ପ୍ରାର୍ଥୀଙ୍କୁ ଜୀବନ ବୀମା ସହ ୫ ହଜାର ଟଙ୍କାର ମାସିକ ଆର୍ଥିକ ସହାୟତା ରାଶି ଏବଂ ଇଣ୍ଟର୍ଣ୍ଣଙ୍କୁ ୬ ହଜାର ଟଙ୍କା ଲମ୍ପସମ ଆକାରରେ ପ୍ରଦାନ କରାଯିବ । ଏହି ସ୍କିମ୍ ଅନ୍ତର୍ଗତ ସରକାରଙ୍କ ଦ୍ୱାରା ୪,୫୦୦ ଏବଂ କମ୍ପାନୀ ଦ୍ୱାରା ସିଏସଆର ପାଣ୍ଠିରୁ ୫୦୦ ଟଙ୍କା ପ୍ରଦାନ କରାଯିବ ।