fbpx

ପାର୍ବଣ ଋତୁ ପାଇଁ ଗାଇଡଲାଇନ୍: ବିନା ଭକ୍ତରେ ହେବ ପୂଜା, ମଣ୍ଡପରେ ୭ ଜଣରୁ ଅଧିକ କର୍ମକର୍ତ୍ତା ରହିବେନି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ପୂଜା ପାର୍ବଣ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପ୍ରସଙ୍ଗରେ ସୋମବାର ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହାଛଡ଼ା ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ସବୁ ପାର୍ବଣ ଲାଗି ଏହି ନିୟମ ଲାଗୁ ହେବ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । ଅପରପକ୍ଷରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଣେଶ ପୂଜା ଲାଗି ଅନୁମତି ଦିଆଯାଇଛି ।

ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ଆସିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟିଗୁଡ଼ିକୁ ଅନୁମତି ଦିଆଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ପୂର୍ବରୁ ଅନୁମତି ନେବା ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ୍‌ ସିଟିରେ ପୋଲିସ କମିଶନର (ସିି)ଙ୍କ ଅନୁମତି ନିଆଯିବା ଆବଶ୍ୟକ ବୋଲି ଦର୍ଶାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ । କୌଣସି ସାଜସଜ୍ଜା ହୋଇପାରିବ ନାହିଁ କିମ୍ବା ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ । ବିନା ଭକ୍ତରେ ପୂଜା ଅନୁଷ୍ଠିତ ହେବ । ସବୁ ପୂଜାମଣ୍ଡପରେ ୪ଫୁଟରୁ କମ୍‌ ଉଚ୍ଚତାରେ ମୂର୍ତି ହେବ । ପୂଜାମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ । ସାମ୍ନା ପଟରୁ ଏମିତି ଆବଦ୍ଧ ହେବ ଯେମିତି ଦର୍ଶନ କରିବେନି ଭକ୍ତ । କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ଜଣଙ୍କୁ ଅନୁମତି ମିଳିବ । ବିସର୍ଜନ ଶୋଭାଯାତ୍ରା ହେବ ନାହିଁ । କୁତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ଏହାଛଡ଼ା କୋଭିଡ୍‌ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ଅବସରରେ ଭୋଜିଭାତକୁ ବି ବାରଣ କରାଯାଇଛି । କୌଣସି ସ୍ଥାନରେ ଏହି ଅବସରରେ କୌଣସି ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ । ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲ୍ଲାପାଳ ଓ ମ୍ୟୁନିସି ।ଲ୍‌ କମିଶନର ଓ କଟକଭୁବନେ ଶ୍ୱର କମିସନରେଟ୍‌ ପୋଲିସକୁ ଦାୟିତ୍ୱ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.