fbpx

ରାହୁଲ ଦ୍ରାବିଡଙ୍କ ରଣନୀତି ଫେଲ୍ ମାରୁଛି କି ? ବାରମ୍ବାର ଜିତିବା ମ୍ୟାଚରେ ପରାଜୟ ଭୋଗୁଛି ଦଳ

ନୂଆଦିଲ୍ଲୀ: ଏଜବାଷ୍ଟନରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଭାରତ ଘରୋଇ ଇଂଲଣ୍ଡଠୁ ଶୋଚନୀୟ ଭାବେ ୭ ଓ୍ଵିକେଟରେ ପରାଜିତ ହୋଇଛି। ଏଥିସହ ପଞ୍ଚମ ଟେଷ୍ଟ ଜିତି ସିରିଜ୍ ହାତେଇବାର ସ୍ଵପ୍ନ ଧୂଳିସାତ ହୋଇଛି। ଇଂଲଣ୍ଡ ଚମତ୍କାର କ୍ରିକେଟ୍ ଖେଳି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି।

ଗତ ବର୍ଷ ଖେଳାଯାଇଥିବା ଚାରୋଟି ମ୍ୟାଚ୍ ଏବଂ ଏଥର ଶେଷ ଟେଷ୍ଟରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ଅଧିନାୟକ ଏବଂ କୋଚ୍ ବଦଳିଛନ୍ତି। ଏଥର ଦଳ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ଯଶପ୍ରୀତ ବୁମରାଙ୍କ ନେତୃତ୍ଵରେ ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍ ଖେଳି ପରାଜୟ ଭୋଗିଛି।

ଯଦି ରାହୁଲ ଦ୍ରାବିଡଙ୍କ କୋଚ୍ ହେବା ପରେ ରେକର୍ଡ ଉପରେ ନଜର ପକାଇବା ତେବେ ଭାରତୀୟ ଦଳ ଟେଷ୍ଟରେ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ। ଅନେକ ସମୟରେ ଭାରତ ଉନ୍ନତ ସ୍ଥିତିରେ ଥାଇ ବି ପରାଜୟ ଭୋଗିଛି। ସେ ଦକ୍ଷିଣ ଆଫ୍ରିକା ଗସ୍ତ ହେଉ କି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ହେଉ, ଆଉ ଏବେ ଏଜବାଷ୍ଟନ ଟେଷ୍ଟ। ଫ୍ଲପ୍ ମାରିଛି ଭାରତୀୟ ଦଳ।

ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ଜିତି ଅଗ୍ରଣୀ ହାସଲ କରିଥିଲା। ମାତ୍ର ପରେ ଭାରତ ଲଗାତାର ଦୁଇଟି ମ୍ୟାଚ୍ ହାରିଥିଲା। ସେଥିରୁ ଗୋଟିଏ ମ୍ୟାଚ୍ କେଏଲ ରାହୁଲ ଦଳର ନେତୃତ୍ଵ ନେଇଥିଲେ। ଅଗ୍ରଣୀ ସତ୍ତ୍ଵେ ବି ଭାରତ ୧-୨ରେ ସିରିଜ୍ ହାରିଥିଲା।
ଏହା ପରେ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ମାଟିରେ ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଦଳର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା। ଦଳ ଶେଷ ଓ୍ଵିକେଟ୍ ହାସଲ କରି ପାରିନଥିଲା ଏବଂ କାନପୁର ଟେଷ୍ଟରେ ଭାରତକୁ ଡ୍ରରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

ଆଉ ଏବେ ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଏମିତି ହୋଇଛି। ପ୍ରଥମ ତିନି ଦିନ ମ୍ୟାଚ୍ ଭାରତ ହାତରେ ଥିଲା। ମାତ୍ର ଶେଷ ଦୁଇ ଦିନ ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଓଲଟି ଯାଇଥିଲା। ଇଂଲଣ୍ଡ ରେକର୍ଡ ବିଜୟ ଲକ୍ଷ୍ୟ ପିଛା କରି ସିରିଜ ପରାଜୟକୁ ଟାଳିବାରେ ସଫଳ ହୋଇଛି।

ଏମିତିରେ ପ୍ରଶ୍ନ ଉଠୁଛି ଯେ, କଣ ରାହୁଲ ଦ୍ରାବିଡଙ୍କ କୋଚ୍ ଭାବେ ରଣନୀତି କାମ କରୁ ନାହିଁ। କାରଣ ରବି ଶାସ୍ତ୍ରୀଙ୍କ ନେତୃତ୍ଵରେ ଭାରତ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲା। ଲଗାତାର ବିଶ୍ଵ କ୍ରିକେଟରେ ଭାରତ ନିଜର ଦବଦବା ବଜାୟ ରଖିଥିଲା। ମାତ୍ର ରାହୁଲ ଦ୍ରାବିଡ କୋଚ୍ ହେବା ପରେ ଦଳର ରଣନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

କୋଚ୍ ସହିତ ଅଧିନାୟକ ମଧ୍ୟ ବଦଳିଛନ୍ତି। ରାହୁଲ ଦ୍ରାବିଡଙ୍କ ପାଇଁ ସବୁଠୁ ବଡ ମୁସ୍କିଲ ଏହା, ସେ ଏ ପର‌୍ୟ୍ୟନ୍ତ ଜଣେ ସ୍ଥିର ଅଧିନାୟକଙ୍କ ସହିତ କାମ କରି ପାରି ନାହାନ୍ତି। ରାହୁଲ ଦ୍ରାବିଡ କୋଚ୍ ପଦ ସମ୍ଭାଳିବା ପରେ ରୋହିତ ଶର୍ମା, କେଏଲ ରାହୁଲ, ଯଶପ୍ରୀତ ବୁମରା ଏବଂ ଆଜିଙ୍କ୍ୟ ରାହାଣେଙ୍କ ସହିତ ଟେଷ୍ଟ କ୍ରିକେଟରେ କାମ କରିଛନ୍ତି। ଏହି କାରଣରୁ ଦଳ ପାଇଁ ଏକ ସ୍ଥିର ଏବଂ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ ହୋଇ ପାରୁନାହିଁ। ଯାହାର ପରିଣାମ ଏବେ ଦଳକୁ ଭୋଗିବାକୁ ପଡୁଛି।

Get real time updates directly on you device, subscribe now.