fbpx

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ ଚତୁର୍ଥ ସିଟ୍ ପାଇଁ କଡା ଟକ୍କର, କ’ଣ ଜେଡିଏସ ପାଇଁ ତ୍ୟାଗ କରିବେ ସୋନିଆ ?

ବେଙ୍ଗାଲୁରୁ: ରାଜ୍ୟସଭା ନିର୍ବାଚନକୁ ନେଇ ସଂପ୍ରତି ରାଜନୈତିକ ଦଳ ଚଳଚଞ୍ଚଳ। ସଂଖ୍ୟାବଳ ଯୋଗାଡ କରି କେମିତି ନିଜ କୋଟାର ସିଟ୍ ହାତେଇବା ସେ ନେଇ ରଣନୀତି ପ୍ରସ୍ତୁତିରେ ଜୁଟିଛନ୍ତି ସମସ୍ତ ଦଳ। ଏହି କ୍ରମରେ କର୍ଣ୍ଣାଟକରେ ଚତୁର୍ଥ ସିଟ୍ ପାଇଁ ଲଢେଇ ରୋଚକ ହୋଇ ଯାଇଛି। ବିଜେପି ନିଜର ତୃତୀୟ ପ୍ରାର୍ଥୀ ଦେବାରୁ କଂଗ୍ରେସ ବି ଦ୍ଵିତୀୟ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହା ଜେଡିଏସ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। କେବେ ପରସ୍ପର ସହିତ ହାତ ମିଳାଇ ରାଜ୍ୟରେ ସରକାର ଗଢିଥିବା କଂଗ୍ରେସ ଏବଂ ଜେଡିଏସ ସାଂପ୍ରତିକ ରାଜ୍ୟସଭା ନିର୍ବାଚନକୁ ନେଇ ଦ୍ଵନ୍ଦ୍ଵାତ୍ମକ ସ୍ଥିତିରେ ପଡିଛନ୍ତି।

ଜେଡିଏସ ଆଶା କରୁଛି ଯେ, କଂଗ୍ରେସ ନିଜର ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରି ନେବ। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଅଚାନକ ଦିଲ୍ଲୀ ଯିବା ଏହି ଧରଣର କଳ୍ପନାଜଳ୍ପନାକୁ ଆହୁରି ବଳ ମିଳିଛି। ଏବେ ଦେଖିବା ବାକି ରହିଲା ଯେ, ଖଡଗେ ଦିଲ୍ଲୀ ହାଇକମାଣ୍ଡଙ୍କଠୁ କଣ ବାର୍ତ୍ତା ନେଇ ଫେରୁଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ନାମ ପ୍ରତ୍ୟାହାର କରିବାର ଆଜି ହେଉଛି ଶେଷ ତାରିଖ।

କର୍ଣ୍ଣାଟକରେ ଚାରୋଟି ସିଟ୍ ଉପରେ ନିର୍ବାଚନ ହେଉଛି। ମତଦାନ ଜୁନ ୧୦ରେ ହେବ। ବିଜେପି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅଭିନେତାରୁ ନେତା ହୋଇଥିବା ଜଗେଶଙ୍କୁ ପ୍ରାର୍ଥୀ କରିଛି। ମାତ୍ର ଘଟଣାରେ ଟୁଇଷ୍ଟ ସେତେବେଳେ ଆସିଲା ଯେତେବେଳେ ବିଜେପି ତୃତୀୟ ପ୍ରାର୍ଥୀ ଭାବେ ପୂର୍ବତନ ବିଧାନ ପରିଷଦ ସଦସ୍ୟ ଲହର ସିଂହ ସିରୋୟାଙ୍କୁ ପ୍ରାର୍ଥୀ କଲା। ଏହାର ଜବାବରେ କଂଗ୍ରେସ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶଙ୍କ ବ୍ୟତୀତ କର୍ଣ୍ଣାଟକ କଂଗ୍ରେସର ସାଧାରଣ ସଂପାଦକ ମନସୁର ଅଲ୍ଲୀ ଖାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଜେଡିଏସ ତରଫରୁ କୁପେନ୍ଦ୍ର ରେଡ୍ଡୀ ମଇଦାନରେ ଅଛନ୍ତି। ଏହି ପରି କର୍ଣ୍ଣାଟକରେ ଚତୁର୍ଥ ସିଟ୍ ପାଇଁ ବିଜେପିର ଲହର ସିଂହ ସିରୋୟା, କଂଗ୍ରେସର ମନସୁର ଅଲ୍ଲୀ ଖାନ ଏବଂ ଜେଡିଏସର କୁପେନ୍ଦ୍ର ରେଡ୍ଡୀଙ୍କ ମଧ୍ୟରେ ଟକ୍କର ହୋଇପାରେ।

ସଂଖ୍ୟାବଳ ହିସାବରେ ବିଜେପିର ନିର୍ମଳା ସୀତାରମଣ ଏବଂ ଜଗେଶ ଜିତିବା ପ୍ରାୟତଃ ନିଶ୍ଚିତ। କଂଗ୍ରେସ ଜୟରାମ ରମେଶଙ୍କୁ ମଧ୍ୟ ଜିତାଇ ନେବ। ଲଢେଇ ଚତୁର୍ଥ ସିଟ୍ ପାଇଁ ହେବାକୁ ଯାଉଛି। ଜେଡିଏସର ଉଦ୍ୟମ କେମିତି କଂଗ୍ରେସକୁ ମନାଇ ନିଜର ପ୍ରାର୍ଥୀ ମନସୁର ଅଲ୍ଲୀ ଖାନଙ୍କୁ ପ୍ରତ୍ୟାହାର କରାଇବ। ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଜେଡିଏସ ନେତା ଏଚଡି ଦେବଗୌଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ କଥା ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କଂଗ୍ରେସର ସାଧାରଣ ସଂପାଦକ ରଣଦୀପ ସୁରଜେଓ୍ଵାଲାଙ୍କ ସହ ଫୋନରେ କଥା ହୋଇଛନ୍ତି। ତେବେ କଣ ଜେଡିଏସ ପାଇଁ ସୋନିଆ ଗାନ୍ଧୀ ତ୍ୟାଗ କରିବେ ? ତାହା ଦେଖିବା ବାକି ରହିଲା।

 

Get real time updates directly on you device, subscribe now.