fbpx

୨୦ତମ ସ୍ୱର୍ଣ୍ଣ ପଦକ ଜିତିଲେ ରମଣ ଶର୍ମା

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ପଞ୍ଚମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିବା ସହିତ ସେଥିରେ ୧୮ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଆଜି ପଞ୍ଚମ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି । ପ୍ରଥମେ ପୁରୁଷ ଏଫ୬୪ ଡିସକସ୍ ଥ୍ରୋ’ରେ ଭାରତ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପୋଛି ନେଇଥିଲା । ଦେବେନ୍ଦର କୁମାର ସ୍ୱର୍ଣ୍ଣ, ପ୍ରଦୀପ କୁମାର ରୌପ୍ୟ ଓ ସୌରଭ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ମଧ୍ୟରେ ଟି୩୮ ୧୫୦୦ ଇଭେଣ୍ଟରେ ରମଣ ଶର୍ମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରମଣ ୪:୨୦:୮୦ ସମୟ ନେଇ ନୂଆ ରେକର୍ଡ କରିଛନ୍ତି । ଫଳରେ ସ୍ୱର୍ଣ୍ଣ ସଂଖ୍ୟା ୨୦ରେ ପହଞ୍ଚିଛି ।

ହାଙ୍ଗଝୋଉ ସଂସ୍କାରଣରେ ଭାରତ ସର୍ବାଧିକ ପଦକ ଜିତିବା ସହିତ ସର୍ବାଧିକ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.