୧୨ ଜନପଥ ବଙ୍ଗଳାରେ ରହିବେ ରାମନାଥ କୋବିନ୍ଦ, ହେବେ ସୋନିଆ ଗାନ୍ଧୀଙ୍କ ପଡୋଶୀ

ନୂଆଦିଲ୍ଲୀ: ଯେଉଁଠି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି, ସେହି ସମୟରେ ରାମନାଥ କୋବିନ୍ଦଙ୍କ କାର‌୍ୟ୍ୟକାଳ ମଧ୍ୟ ସମାପ୍ତ ହୋଇଛି। ଅବସର ପରେ ଏବେ ତାଙ୍କର ନୂତନ ଠିକଣା ୧୨ ଜନପଥ ହେବାକୁ ଯାଉଛି। ଦିନ ଥିଲା ଏହି ବଙ୍ଗଳା କେବେ ଦିବଙ୍ଗତ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସଓ୍ଵାନଙ୍କ ଠିକଣା ଥିଲା। ଖାସ୍ କଥା ଏବେ ରାମନାଥ କୋବିନ୍ଦ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପଡୋଶୀ ହେବାକୁ ଯାଉଛନ୍ତି।

କୋବିନ୍ଦଙ୍କୁ ଜୁନ ମାସରେ ଏହି ବଙ୍ଗଳା ଆବଣ୍ଟିତ କରାଯାଇଥିଲା। ଏଠାକୁ ତାଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ସୋମବାର ପୂରା ହୋଇଯିବ। ୧୨ ଜନପଥକୁ ମଧ୍ୟ ଦିଲ୍ଲୀର ଲୁଟିୟନ୍ସ ସ୍ଥିତ ବଡ ବଙ୍ଗଳା ମଧ୍ୟରୁ ଗୋଟିଏ କୁହାଯାଏ। ଏହା ସୋନିଆଙ୍କ ବାସଭବନ ୧୦ ଜନପଥର ନିକଟରେ ଅବସ୍ଥିତ।

୨୦୨୧ ଅଗଷ୍ଟରେ ଏହି ବଙ୍ଗଳା ପ୍ରଥମେ ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବଙ୍କୁ ଆବଣ୍ଟିତ କରାଯାଇଥିଲା। ହେଲେ ଜମୁଇର ଲୋକସଭା ସାଂସଦ ତଥା ପାସଓ୍ଵାନଙ୍କ ପୁଅ ଚିରାଗଙ୍କ ଘର ଖାଲି ନକରିବା କାରଣରୁ ଅଶ୍ଵିନୀ ଏଠାକୁ ସିଫ୍ଟ ହୋଇ ପାରିନଥିଲେ। ଏହା ପରେ ତାଙ୍କୁ ୩୨ ପୃଥ୍ଵୀରାଜ ରୋଡ୍ ସ୍ଥିତ ନୂତନ ଠିକଣାରେ ରହିବାକୁ ପଡିଥିଲା। ତେବେ ଚଳିତ ବର୍ଷ ଜୁନରେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଘର ଖାଲି କରିବା ପ୍ରକ୍ରିୟା ପୂରା କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟ ପାସଓ୍ଵାନ ପରିବାରଙ୍କ ଆବେଦନକୁ ଖାରଜ କରିଥିଲେ। ଚିରାଗ ପାସଓ୍ଵାନ ଘର ଖାଲି କରିବାକୁ ଆଉ କିଛି ସମୟ ମାଗିଥିଲେ। ଏହି ବାସଭବନରେ ରାମବିଳାସ ପାସଓ୍ଵାନ ପ୍ରାୟ ତିନି ଦଶନ୍ଧି ଧରି ରହି ଆସିଥିଲେ।

ଅବସର ପରେ କୋବିନ୍ଦଙ୍କୁ ମିଳିବ ଏହି ସୁବିଧା

ପ୍ରେସିଡେନ୍ସ ପେନସନ ଆକ୍ଟ ୧୯୫୧ ଆଧାରରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏକ ଲକ୍ଷ ୫ ହଜାର ଟଙ୍କାର ମାସିକ ଭତ୍ତା ସମେତ ଅନେକ ସରକାରୀ ସୁବିଧା ଦିଆଯାଏ। ଏଥିରେ ମାଗଣା ବାସଭବନ ମଧ୍ୟ ସାମିଲ୍। ଆକ୍ଟ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ପୂରା ଜୀବନରେ ବିନା ଘର ଭଡାରେ ବାସଭନରେ ରହି ପାରିବେ। ଏହା ବ୍ୟତୀତ ତାଙ୍କୁ ଦୁଇଟି ଟେଲିଫୋନ, ଗୋଟିଏ ମୋବାଇଲ ଫୋନ ପରି ସୁବିଧା ମଧ୍ୟ ମିଳିବ।