ନବୀନଙ୍କୁ ଚିଠି ଲେଖି କହିଲେ ରାଜା: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ଦଳର ଆଦର୍ଶ ଓ ନୀତିରେ ସାମାଜିକ ନ୍ୟାୟ ଆଗରେ ରହୁ

ସଂଗଠନରେ ସଂରକ୍ଷଣ କରିବାକୁ ସଭାପତିଙ୍କୁ ପ୍ରସ୍ତାବ ଦେଲେ ରାଜା ।

ଭୁବନେଶ୍ବର: ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଜରୁରୀ । ସଂଗଠନରେ ସବୁ ଅଞ୍ଚଳ, ବର୍ଗ ଓ ମହିଳାଙ୍କୁ ସମାନୁପାତିକ ପ୍ରତିନିଧିତ୍ୱ ଦଳରେ ମିଳୁ ବୋଲି ଦଳ ସଭାପତି ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ,  ସାମାଜିକ ବନ୍ଧନ କ୍ଷୁର୍ଣ୍ଣ ନହେଉ କି ଆଞ୍ଚଳିକ ବୈଷମ୍ୟ ନବଢ଼ୁ ବୋଲି ସେ କହିଛନ୍ତି ।

ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବା ଉପରେ ପର୍ଯ୍ୟବେସିତ ହେଉ । ଏପରିକି ଓ୍ବକଫ ବିଲକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଏହା ବିଜେଡିର ଧର୍ମନିରପେକ୍ଷ ଆଭିମୁଖ୍ୟରେ ପ୍ରଶ୍ନଚିହ୍ନ ଲଗାଇଦେଇଛି ।

ବିଜୁ ବାବୁଙ୍କ ରାଜନୀତିର ଆଧାର ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ଆଞ୍ଚଳିକ ଅସ୍ମିତା ଥିଲା ଏହି ସବୁକୁ ଆମେ ଭୁଲିବା ଉଚିତ ନୁହେଁ । ଦଳ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତାକୁ ପୁଞ୍ଜି କରି ନେତା ଓ କର୍ମୀମାନଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ୁ ବୋଲି ରାଜା କହିଛନ୍ତି ।