fbpx

ରାଷ୍ଟ୍ରପତି ଭବନକୁ ମିଳିଳା ନୂତନ ପରିଚୟ, ବଦଳିଲା ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ର ନାଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ ନାଁରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଦରବାର ହଲ୍ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍ ‘ଅଶୋକ ମଣ୍ଡପ’ ନାଁରେ ପରିଚିତ ହେବ । ଆଜି ରାଷ୍ଟ୍ରପତି ଭବନ ତରଫରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ପରିବର୍ତ୍ତିତ ନାଁକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ଭବନ ତରଫରୁ ଜାରି ଏକ ବୟାନରେ କୁହାଯାଇଛି, ‘ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ନିବାସ, ରାଷ୍ଟ୍ରର ପ୍ରତୀକ ଏବଂ ଲୋକଙ୍କ ଅମୂଲ୍ୟ ଐତିହ୍ୟ । ଏହାକୁ ଲୋକଙ୍କ ନିକଟରେ ଅଧିକ ସୁଗମ କରିବା ପାଇଁ ପ୍ରୟାସ ଜାରି ରହିଛି । ରାଷ୍ଟ୍ରପତି ଭବନର ମାହୋଲକୁ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ଏବଂ ନୌତିକତାକୁ ପ୍ରତିଫଳିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି ।’

‘ଦରବାର ହଲ୍‌’ରେ ଜାତୀୟ ପ୍ରେଜେଣ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସମାରୋହ ଏବଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ‘ରବାର’ ଶବ୍ଦ ଭାରତୀୟ ଶାସକ ଏବଂ ଇଂରେଜଙ୍କ ଅଦାଲତ ଏବଂ ସଭା ସହ ଜଡ଼ିତ । ସେଠରେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରୁଥିଲେ । ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଭାରତ ଗଣତନ୍ତ୍ର ହେବା ପରେ ଏହାର ପ୍ରାସଙ୍ଗିକତା ଶେଷ ହୋଇଯାଇଛି । ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଗଣତନ୍ତ୍ରର ଅବଧାରଣା ଗଭୀର ଭାବରେ ଜଡ଼ିତ ତେଣୁ ଦରବାର ହଲ ପାଇଁ ‘ଗଣତନ୍ତ୍ର ମଣ୍ଡପ’ ନାଁ ଉପଯୁକ୍ତ ଅଟେ । ସେହିପରି ‘ଅଶୋକ ହଲ୍‌’ ମୂଳ ରୂପରେ ଏକ ‘ବଲ୍ ରୁମ୍‌’(ballroom) ଥିଲା । ଅଶୋକ ଶବ୍ଦର ଅର୍ଥ ହେଉଛି ଯିଏ ସମସ୍ତ ଦୁଃଖରୁ ମୁକ୍ତ । ଅଶୋକ ଶବ୍ଦ ସମ୍ରାଟ ଆଶୋକଙ୍କୁ ସୂଚାଉଛି ଯିଏ ଏକତା ଏବଂ ଶାନ୍ତିପୂର୍ଣ୍ଣ ସହଭାଗୀତାର ପ୍ରତୀକ । ଏହା ଅଶୋକ ବୃକ୍ଷ ସହ ମଧ୍ୟ ଜଡ଼ିତ ଯାହାର ଭାରତୀୟ ଧାର୍ମିକ ପରମ୍ପରା ତଥା କଳା ଏବଂ ସଂସ୍କୃତିରେ ଗଭୀର ମହତ୍ୱ ରହିଛି । ଏହି ନାମ ପରିବର୍ତ୍ତନ ଅଶୋକ ଶବ୍ଦ ସହ ଜଡ଼ିତ ମୂଲ୍ୟ ବଜାୟ ରଖିବ ।

Get real time updates directly on you device, subscribe now.