fbpx

ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଧାନସଭା ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆସନ୍ତାକାଲି ଗୃହରେ ଅର୍ଥମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ତେବେ ଆଜି ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି, ଅନେକ ବ୍ୟକ୍ତି ଦୀର୍ଘଦିନ ହେଲା ଆବେଦନ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାର୍ଡ ପାଇ ପାଇପାରି ନାହାନ୍ତି । ତେଣୁ ସେମାନଙ୍କୁ ରାସନ କାର୍ଡ ଯୋଗାଇଦେବା ପାଇଁ ଆଶୁ ପଦକ୍ଷେପ କରିବେ କି ବୋଲି ଶ୍ରୀ ବାହିନୀପତି ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮ ଶହ ୩୬ ପରିବାର ରାସନ କାର୍ଡ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ନୂତନ ହିତାଧିକାରୀ ଚୟନ ନିମନ୍ତେ ସରକାର ୧୨ ଗୋଟି ସ୍ୱତଃ ଯୋଗ ହେବା ମାନଦଣ୍ଡ ଓ ୧୦ ଗୋଟି ବାଦ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲା ସ୍ତରରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଏହି ମାନଦଣ୍ଡ ଆଧାରରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହିତାଧୁକାରୀ ଚୟନର ସର୍ବୋଚ୍ଚ ସୀମା (ଅପର ସିଲିଂ)କୁ ଦୃଷ୍ଟି ରେ ରଖି ଖାଲି ପଡିଥିବା ସ୍ଥାନମାନଙ୍କରେ ସାମିଲ କରାଯିବା ନିମନ୍ତେ ବ୍ୟବସ୍ଥା ରହିଛି ।

ଏହାଛଡା, ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିଭିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ନୂତନ ରାସନ କାର୍ଡ ଯୋଗାଇ ଦେବା ପ୍ରକ୍ରିୟା ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ କରାଯିବ । ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଏହି କାମ ଚାଲିଛି । ବହୁ ଜିଲ୍ଲାରେ ହାଜରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି । ଘର ଘର ବୁଲି ଯାଞ୍ଚ ଚାଲିଛି । ମାସେ ଭିତରେ ହିତାଧିକାରୀଙ୍କ ନୂଆ ତଥା ଚୂଡାନ୍ତ ତାଲିକା ଆସିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

Get real time updates directly on you device, subscribe now.