fbpx

ରେଭେନ୍ସା ପ୍ରାଣୀ ବିଜ୍ଞାନୀ ଉଦ୍ଭାବନ କଲେ ‘ପୋର୍ଟେବଲ କ୍ୟାନସର ଡାଇଗ୍ନୋଷ୍ଟିକ ଡିଭାଇସ୍’: କମ୍ ମୂଲ୍ୟରେ ଓ ସ୍ୱଳ୍ପ ସମୟରେ ଚିହ୍ନଟ ହେବ କର୍କଟ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ କ୍ୟାନସର ବା କର୍କଟ ଏକ ମାରାତ୍ମକ ରୋଗ ଭାବେ ଉଭା ହୋଇଛି । ପ୍ରତିବର୍ଷ କର୍କଟରେ ସଂକ୍ରମିତ ହୋଇ ଦେଶରେ ବହୁ ଲୋକଙ୍କର ଜୀବନ ହାନୀ ହେଉଥିବା ଦେଖାଯାଉଛି । ତେବେ ଏପରି ସ୍ଥିତିରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ୭ ଜଣ ପ୍ରାଣୀ ବିଜ୍ଞାନୀ କର୍କଟ ରୋଗକୁ ଚିହ୍ନଟ କରିପାରୁଥିବା ଏକ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି ।

ଏହି ଡିଭାଇସର ନାମ ରଖାଯାଇଛି ‘ପୋର୍ଟେବଲ କ୍ୟାନସର ଡାଇଗ୍ନୋଷ୍ଟିକ ଡିଭାଇସ୍’ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହି ଡିଭାଇସ କର୍କଟକୁ ଚିହ୍ନଟ କରିପାରିବ । ଏଥିପାଇଁ କୌଣସି ଡାଇଗ୍ନୋଷ୍ଟିକ ସେଣ୍ଟର କି ଲାବୋରେଟୋରୀକୁ ଯିବାକୁ ପଡ଼ିବ ନାହିଁ । ଜଣେ ବ୍ୟକ୍ତି କର୍କଟରେ ସଂକ୍ରମିତ ହୋଇଛନ୍ତି କି ନାହିଁ ସେନେଇ ଘରେ ବସି ଜାଣିପାରିବେ । ସବୁଠାରୁ ବଡ଼ କଥା ହେଉଛି ଆଜିର ସମୟରେ ଗ୍ରାମାଞ୍ଚଳର ଓ ବିଚ୍ଛିନ୍ନାଞ୍ଚଳର ବହୁ ଲୋକ କର୍କଟ ରୋଗକୁ ଚିହ୍ନଟ କରିବା ଓ ଚିକିତ୍ସା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏଭଳି ସ୍ଥିତିରେ ଏହି ଉପକରଣ ଏକ ବରଦାନ ସଦୃଶ ହୋଇଛି । ଏହା ଦ୍ୱାରା କମ୍ ମୂଲ୍ୟରେ ଓ ସ୍ୱଳ୍ପ ସମୟରେ ରୋଗ ଚିହ୍ନଟ କରାଯାଇ ପାରିବ ।

ଏହି ଡିଭାଇସର ଡିଜାଇନକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟ ଦ୍ୱାରା ପଞ୍ଜିକରଣ କରାଯାଇଛି । ରେଭେନ୍ସା ୟୁନିଭରସିଟିର ପ୍ରାଣୀ ବିଜ୍ଞାନ ବିଭାଗ ପରୀକ୍ଷାଗାରରେ ଏହାକୁ ପ୍ରସ୍ତୁତ କରାଯାଇଛି । କର୍କଟର ପ୍ରାଥମିକ ଚିହ୍ନଟ ପାଇଁ ଅଧିକ ସୁବିଧା ଓ ସଠିକ୍ ପଦ୍ଧତିର ବିଶେଷ ଆବଶ୍ୟକତା ରହିଥାଏ । ସେଥିପାଇଁ ପ୍ରାୟତଃ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସ୍ୱତନ୍ତ୍ର ପରୀକ୍ଷାଗାରର ଆବଶ୍ୟକ ରହିଥାଏ । ମାତ୍ର ଗ୍ରାମାଞ୍ଚଳ ଓ ବିଚ୍ଛିନ୍ନାଞ୍ଚଳରେ ଏହି ସୁବିଧା ଲୋକଙ୍କ ପାଇଁ ଉପଲବ୍ଧ ହୋଇନଥାଏ । ତେଣୁ ଏହି କ୍ଷେତ୍ରରେ ଏହି ଡିଭାଇସ୍ ଲୋକଙ୍କ ପାଇଁ ବିଶେଷ ସହାୟକ ହୋଇ ପାରିବ ବୋଲି କୁହାଯାଉଛି । ବିଦ୍ୟୁତ ଯୋଗାଣ ନଥିବା ଅଞ୍ଚଳରେ ମଧ୍ୟ ଏହି ଡିଭାଇସକୁ ବ୍ୟବହାର କରାଯାଇ ପାରିବ । ସେଥିରେ ଟଚସ୍କ୍ରିନ ରହିଥିବାରୁ ନମୂନା ସଂଗ୍ରହ ସମୟରେ ତାହା ବ୍ୟବହାରକାରୀଙ୍କୁ ଗାଇଡ୍ କରିବ । ଏହି ଡିଭାଇସକୁ ବିଭିନ୍ନ ସରକାରୀ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବହାର କଲେ ଲୋକମାନେ ସୁଫଳ ପାଇ ପାରନ୍ତେ ବୋଲି ନେଇ ଉଦ୍ଭାବକମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.