ଏହି ମାୟା ସଂସାରରେ ଜନମ ଏବଂ ମରଣ ସତ୍ୟ, ବାକି ସବୁ ମିଛ । ସଂସାରରେ ପ୍ରତ୍ୟେକ ଜୀବ ପୂର୍ବ କର୍ମଫଳ ଅନୁଯାୟୀ ଧରାପୃଷ୍ଠଷର ଜନ୍ମ ଗ୍ରହଣ କରିଥାଏ । ସୁଖ ଦୁଃଖ ଭୋଗ କରେ । ଶେଷରେ ପଞ୍ଚଭୂତରେ ବିଲୀନ ହୋଇଯାଏ । ମନୁଷ୍ୟ ଜୀବନ କାଳରେ ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ୧୬ଟି ସଂସ୍କାର ସମ୍ପନ୍ନ କରିବାକୁ ପଡ଼ିଥାଏ । ସେଥିମଧ୍ୟରୁ ୧୬ତମ ସଂସ୍କାର ହେଉଛି ଅନ୍ତିମ ସଂସ୍କାର ବା ଦାହ ସଂସ୍କାର । ଆପଣମାନେ ଦେଖିଥିବେ ମୃତ ବ୍ୟକ୍ତିର କାନ ଏବଂ ନାକରେ ତୁଳା ଦିଆଯାଇଥାଏ । ଏମିତି କ’ଣ ପାଇଁ କରାଯାଏ ? ଏହା ପଛରେ ରହିଛି ଉଭୟ ବୈଜ୍ଞାନିକ ଏବଂ ଧାର୍ମିକ କାରଣ ।
ବୈଜ୍ଞାନିକଙ୍କ ମତ ଅନୁଯାୟୀ, ମୃତ ଶରୀରରେ କୌଣସି ଜୀବାଣୁର ପ୍ରବେଶକୁ ରୋକିବା ପାଇଁ ନାକ ଏବଂ କାନରେ ତୁଳା ଦିଆଯାଇଥାଏ । ଏହା ବ୍ୟତୀତ ମୃତ ବ୍ୟକ୍ତିଙ୍କ ନାକରୁ ଏକ ତରଳ ପଦାର୍ଥ ବାହାରିଥାଏ ଯାହାର ପ୍ରବାହକୁ ରୋକିବା ପାଇଁ ତୁଳାର ବ୍ୟବହାର କରାଯାଏ । ମୃତକ ଜଣକ କୌଣସି ରୋଗରେ ପୀଡ଼ିତ ଥିଲେ ପେଟ ଦ୍ୱାରା ବାୟୁ ବାହାରିଥାଏ । ଏହା ସହ କିଛି ଜୀବାଣୁ ମଧ୍ୟ ବାହାରି ଆସନ୍ତି ଯାହା ଉପସ୍ଥିତ ଲୋକମାନଙ୍କୁ ସଂକ୍ରମିତ କରିପାରେ । ତେଣୁ ଏହିସବୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏପରି କରାଯାଇଥାଏ । ଏଥିସହିତ ଏହା ପଛରେ ଏକ ଧାର୍ମିକ କାରଣ ମଧ୍ୟ ଅଛି । ଗରୁଡ଼ ପୁରାଣ ଅନୁଯାୟୀ ମୃତ ଶରୀରର ଖୋଲା ଅଂଶରେ ସୁନାର ଛୋଟ ଖଣ୍ଡ ରଖିବାର ନିୟମ ରହିଛି । ଶରୀରର ୯ଟି ଅଙ୍ଗ ଯଥା ନାକ, କାନ, ଆଖି, ମୁହଁ ଇତ୍ୟାଦି ସ୍ଥାନ ରହିଛି । ଏମିତି କରିବା ପଛରେ ବିଶ୍ୱାସ ରହିଛି ଯେ ସୁନା ଏକ ପବିତ୍ର ଧାତୁ । ମୃତ ବ୍ୟକ୍ତିର ଏହି ସବୁ ସ୍ଥାନରେ ସୁନା ରଖିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ । ପରବର୍ତ୍ତୀ ସମୟରେ ଶବକୁ ଶ୍ମଶାନ ନେବା ରାସ୍ତାରେ ସୁନା ଗଳିପଡ଼ିବା ଭୟରେ ତୁଳା ବ୍ୟବହାର କରାଯାଇଥାଏ ।
ଏହା ବ୍ୟତୀତ ଅନ୍ତିମ ସଂସ୍କାର ସମୟରେ ଏମିତି କିଛି ପରମ୍ପରା ରହିଛି ଯାହା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଜାଣିବା ଏମିତି କିଛି ପରମ୍ପରା ବିଷୟରେ:
– ପୂର୍ବରୁ ଦାହ ସଂସ୍କାର ସମୟରେ ଚନ୍ଦନ କାଠର ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ତାହା ସମ୍ଭବପର ନୁହେଁ । ତେଣୁ ଦାହ ସଂସ୍କାର ସମୟରେ ଅଗ୍ନିରେ ଛୋଟ ଚନ୍ଦନ କାଠ ଦିଆଯାଏ । ହିନ୍ଦୁ ଧର୍ମରେ ଚନ୍ଦନକୁ ପବିତ୍ର ବୋଲି ବିବେଚନା କରାଯାଏ ଏବଂ ଚନ୍ଦର କାଠ ଜଳିଲେ ବାତାବରଣ ସୁଗନ୍ଧିତ ହୋଇଉଠେ । ଏହା ମୃତ ଶରୀରର ଦୁର୍ଗନ୍ଧକୁ କମ କରିବାରେ ସହାୟକ ହୋଇଥାଏ ।
– ହିନ୍ଦୁ ଧର୍ମରେ ଗୋ-ମୁତ୍ର ପବିତ୍ର ଅଟେ । ଶବ ଆଖପାଖରେ ଗୋ-ମୁତ୍ର ଛିଞ୍ଚିବା ଦ୍ୱାରା ବାତାବରଣ ଶୁଦ୍ଧ ହେବା ସହ ନକାରାତ୍ମକ ଶକ୍ତି ଶବ ଠାରୁ ଦୂରେଇ ରୁହନ୍ତି ବୋଲି ବିଶ୍ୱାସ ରହିଛି ।
– ଶବ ମୁଣ୍ଡ ପଟେ ଦୀପ ଜଳେଇବାର ପରମ୍ପରା ରହିଛି । ଦୀପ ପରମାତ୍ମାଙ୍କ ପ୍ରତୀକ ହୋଇଥିବାରୁ ଏପରି କରାଯାଇଥାଏ । ଏହା ଦ୍ୱାରା ନକାରାତ୍ମକ ଜୀବାଣୁ ନଷ୍ଟ ହେବା ସହ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।