fbpx

ଅତ୍ୟାଧୁନିକ ଉପକରଣରେ ହେବ ରତ୍ନଭଣ୍ଡାର ମରାମତି କାମ: ତଦାରଖ କମିଟି ବୈଠକରେ ନିଷ୍ପତ୍ତି

ପୁରୀ: ଆଜି ରତ୍ନଭଣ୍ଡାର ମରାମତିକୁ ନେଇ ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଅନ୍ୟ କମିଟି ସଦସ୍ୟ ଏବଂ ଏଏସଆଇ ବୈଷୟିକ କମିଟି ସଦସ୍ୟ ଉପସ୍ଥିତ ଥିଲେ । ରତ୍ନଭଣ୍ଡାର ମରାମତି ପୂର୍ବରୁ ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ କକ୍ଷ ନିର୍ଦ୍ଧାରଣ କରିବେ ବୋଲି ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି ।

ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁଯାୟୀ ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ । କେବଳ ରତ୍ନଭଣ୍ଡାର ମରାମତି ଉପରେ ଗୁରୁତ୍ୱାରୋପ କରାଯାଇଛି । ଶ୍ରୀମନ୍ଦିର ଢାଞ୍ଚା ଉପରେ କୌଣସି ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ନହେବ, ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ ଏବଂ ଭକ୍ତଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ ଆଦି ପ୍ରସଙ୍ଗକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇ ରତ୍ନଭଣ୍ଡାର ମରାମତି କାମ କରାଯିବ । ଏନେଇ ଏଏସଆଇ ଟେକ୍ନିକାଲ କମିଟି ମେମ୍ବର୍ସ ସରକାରଙ୍କ ସହ ଆଲୋଚନା କରିବା ପରେ କାମକୁ ତ୍ୱରାନ୍ୱିତ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟା ସମୟ କ୍ରମେ ପ୍ରକାଶ କରାଯିବ । ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଅପିଲ କରିଛନ୍ତି ଜଷ୍ଟିସ୍ ଶ୍ରୀ ରଥ ।

Get real time updates directly on you device, subscribe now.