ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଗତ ଡିସେମ୍ବର ୨୫ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆସନ୍ତାକାଲିଠାରୁ ପୁଣି ଥରେ ରତ୍ନଭଣ୍ଡାର କାର୍ଯ୍ୟ ସରକାରଙ୍କ ଦ୍ୱାରା ଜାରି ଏସଓପି ମୁତାବକ କରାଯିବ ।

ପୁରୀ: ନୂଆବର୍ଷ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପୁଣି ଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଲୁହା ବିମରେ ଫାଟ:

ଲୁହା ଛଡ଼ ଫୁଲିବା ଯୋଗୁଁ ପଥରରେ ଫାଟ ସୃଷ୍ଟି ହୋଇଛି । ଲୁହା ବିମରେ କଳଙ୍କି ଲାଗିଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ୍ ଲଗାଯିବ । ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ କିପରି ନିିର୍ବିଘ୍ନରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯିବ । ତେବେ ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ମରାମତି କାର୍ଯ୍ୟ ସମ୍ପନ୍ନ କରିବ ଏଏସଆଇ ।

ସହଜ ହେବ ମହାପ୍ରଭୁଙ୍କ ଦର୍ଶନ:

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଗତ ୧୭ ତାରିଖଠାରୁ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍‌ ଭାରାବନ୍ଧା କାମ ଶେଷ କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ପାଇଁ ୧୮ ତାରିଖ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖାଯାଇଥିଲା । ୧୯ ତାରିଖଠାରୁ ପୁଣି ମରାମତି କାମ ଆରମ୍ଭ ହୋଇଥିଲା । ଅପରପକ୍ଷରେ ଆସନ୍ତା ୨୦ ତାରିଖରୁ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସୁସଂଗଠିତ କରିବା ଦିଗରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ।