ଗ୍ରାମ ରୋଜଗାର ସେବକ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ, ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଝଟକା

କଟକ: ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଝଟକା ଲାଗିଛି। ଜିଆର୍‌ଏସ୍ ଚୟନ ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇ ୨୦୧୮ ଏପ୍ରିଲ ୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜିଆର୍‌ଏସ୍ ଚୟନ ‌ବେଳେ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ପ୍ରଣୟନ ହୋଇଥିବା ଓଆର୍‌ଭି ଆଇନ, ୧୯୭୫ରେ ଥିବା ବ୍ୟବସ୍ଥା ଓ ଏ ସଂକ୍ରାନ୍ତୀୟ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା।

୨୦୧୮, ଏପ୍ରିଲ ୬ର ନିୟମାବଳୀରେ ଓଆର୍‌ଭି ଆଇନ ଓ ଏ ସଂପର୍କିତ ନିୟମ ପାଳନ ନେଇ ରହିଥିବା ବ୍ୟବସ୍ଥାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଡିପିସି, ଡିଆରଡିଏଙ୍କ ତରଫରୁ ୧୯ଟି ଜିଆର୍‌ଏସ୍‌ ପଦରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ନିଯୁକ୍ତି ନେଇ ୨୦୧୮, ଜୁନ୍ ୩୦ରେ ପ୍ରକାଶିତ ବିଜ୍ଞପ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି।

୨୦୨୧, ମାର୍ଚ୍ଚ ୨୪ରେ ୨୫ଟି ଜିଆର୍‌ଏସ୍‌ ପଦ ପୂରଣ ପାଇଁ ଜିଲ୍ଲାପାଳଙ୍କ ତରଫରୁ ଜାରି ବିଜ୍ଞପ୍ତିରେ ଏହି ରାୟ ଅନୁସାରେ ସଂଶୋଧନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣ ନୀତି ଲାଗୁ ନ କରି ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରିବା ପାଇଁ ମାର୍ଚ୍ଚ ୨୪ର ବିଜ୍ଞପ୍ତିରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶ୍ବରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ ୨୦୧୮, ଜୁନ୍ ୩୦ରେ ବିଭିନ୍ନ ପଞ୍ଚାୟତରେ ମୋଟ ୧୯ଟି ଜିଆର୍‌ଏସ୍‌ ପଦରେ ନିଯୁକ୍ତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୫ଟି ଏସସି ଓ ୧୪ଟି ପଦ ଏସ୍‌ଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା। ମନରେଗା ଯୋଜନା ଅଧୀନରେ ଜିଆର୍‌ଏସ୍‌ ଏକ ଚୁକ୍ତିଭିତ୍ତିକ ପଦ ଓ ଏଥିରେ ପ୍ରଥମେ ଏକ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଏହା ପରେ ଯଦି ପ୍ରଦର୍ଶନ ସନ୍ତୋଷଜନକ ରୁହେ ଓ ବିଡିଓ ଅନୁମୋଦନ କରନ୍ତି ତେବେ ଜିଆର୍‌ଏସ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ।

ଚୟନ ପ୍ରକ୍ରିୟାରେ ଓଆର୍‌ଭି ଆଇନ ଓ ଏ ସଂପର୍କିତ ନିୟମାବଳୀ କଡ଼ାକଡ଼ି ପାଳନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଜିଆର୍‌ଏସ ପଦରେ ସଂରକ୍ଷଣକୁ ବିରୋଧ କରି ଆବେଦନକାରୀ ୨୦୧୮ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଥିଲେ। ଜିଆର୍‌ଏସ୍‌ ସରକାରଙ୍କ ଅଧୀନରେ ଏକ ସିଭିଲ୍‌ ପୋଷ୍ଟ ନୁହେଁ। ଓସିଏସ (ସିସିଏ) ନିୟମ ଅନୁସାରେ ଏହା ଏକ ସେବା ମଧ୍ୟ ନୁହେଁ। ତେଣୁ ଏଥିରେ ସଂରକ୍ଷଣ ନିୟମ ଲାଗୁ ହେବା କଥା ନୁହେଁ ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।