ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ ଅଛି ଆଗୁଆ ? କାହା ଉପରେ କଂଗ୍ରେସର ଏତେ ଭରସା ?

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ୍ ଗଣନା ଜାରି ରହିଛି । ଏନେଇ ପ୍ରମୁଖ ଦଳଗୁଡ଼ିକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ ତେଲେଙ୍ଗାନାରେ କଂଗ୍ରେସ ତା’ର ସଂଖାଗରିଷ୍ଠତା ବଜାୟ ରଖିଛି । କର୍ଣ୍ଣାଟକ ପରେ ତେଲେଙ୍ଗାନା ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି କଂଗ୍ରେସ ସରକାର ଗଠନ କରୁଥିବା ନେଇ ସ୍ପଷ୍ଟ ଜଣା ପଡ଼ୁଛି । ତେବେ ଫଳାଫଳ ପରେ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ? ଦେଖିବାକୁ ଗଲେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରେୱନ୍ତ ରେଡ୍ଡୀ, ସାଂସଦ କ୍ୟାପଟେନ୍ ଉତ୍ତମ କୁମାର ରେଡ୍ଡୀ, କୋମତିରେଡ୍ଡୀ ଭେଙ୍କଟ ରେଡ୍ଡୀ ଏବଂ ଭଟ୍ଟି ବିକ୍ରମାର୍କ ଭଳି ଦାବିଦାର ସାମିଲ ଅଛନ୍ତି ।

ତେଲେଙ୍ଗାନା ରାଜନୈତିକ ଉଷ୍ମତା ଭିତରେ ପ୍ରଦେଶ କଂଗ୍ରସ ଅଧ୍ୟକ୍ଷ ରେୱନ୍ତ ରେଡ୍ଡୀଙ୍କ ନାଁକୁ ନେଇ ବେଶ ଚର୍ଚ୍ଚା । ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପୂର୍ବ ଦିନ ରେୱନ୍ତ ରେଡ୍ଡୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣଣେ ଉପସ୍ଥିତ ଥିଲେ । ତାଙ୍କୁ ସମର୍ଥନ ଜଣାଇ ଜନତା ‘ସିଏମ୍- ସିଏମ୍’ର ନାରାବାଜି କରିଥିଲେ । ଦେଖିବାକୁ ଗଲେ ରେୱନ୍ତ ରେଡ୍ଡୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଚର୍ଚ୍ଚିତ ଚେହେରା । ସବୁବେଳେ ପଚାର ସମୟରେ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନଜର ଆସିଥାନ୍ତି । ତେଲେଙ୍ଗାନା ରାଜ୍ୟର ଗଠନ ୨୦୧୩ରେ ହୋଇଥିବା ବେଳେ ଏହା ହେଉଛି ୩ୟ ନିର୍ବାଚନ । ଏହି ନିର୍ବାଚନରେ ସିଏମ୍ ଭାବେ କେ.ସି.ଆର ହ୍ୟାଟ୍ରିକ କରିବାରେ ପଛେଇଯିବା ଭଳି ନଜର ଆସୁଛି । ତେବେ କିଏ ଏହି ରେୱନ୍ତ ରେଡ୍ଡୀ ? କାହିଁକି ତାଙ୍କ ନାଁ କୁ ନେଇ ଏତେ ଚର୍ଚ୍ଚା ?

୧୯୬୯ ମସିହାରେ ଅବିଭାଜିତ ଆନ୍ଧ୍ରପ୍ରଦେଶର ମହବୁବ ନଗରରେ ତାଙ୍କ ଜନ୍ମ । ରେଡ୍ଡୀ ତାଙ୍କ ଛାତ୍ର ଜୀବନରୁ ରାଜନୀତି କ୍ୟାରିୟର ଏବିଭିପିରୁ ଆରମ୍ଭ କରିଥିଲେ । ଏହା ପରେ ସେ ଚନ୍ଦ୍ରବାବୁ ନାଏଡ଼ୁଙ୍କ ତେଲୁଗୁ ଦେଶମ ଦଳରେ ସାମିଲ ହୋଇଗଲେ । ୨୦୦୯ରେ ସେ ଟିଡିପି ଟିକଟରେ ଆନ୍ଧ୍ରର କୋଡ଼ାଙ୍ଗଲରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ତେଲେଙ୍ଗାନା ବିଧାନସଭାରେ ଟିଡିପିର ଗୃହ ନେତା ଭାବରେ ନିର୍ବାଚିତ ହୋଇଥିଲେ । ପରେ ୨୦୧୭ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିବାବେଳେ ୨୦୧୮ରେ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ । ଏହା ସତ୍ତେ୍ୱ କଂଗ୍ରେସ ତାଙ୍କ ଉପରେ ଭରସା କରି ୨୦୧୯ ଲୋକସଭା ନିର୍ବାଚନରେ ମଲକାଜଗିରିରୁ ଟିକଟ ଦେଇଥିଲା । ଏଥିରେ ସେ ଜିତିବା ପରେ ୨୦୨୧ରେ କାଂଗ୍ରେସ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷର ଦାୟିତ୍ୱ ଦେଇଥିଲା ।