ରାଜସ୍ୱ ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସାଧାରଣ ଦୁର୍ବିପାକ ଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ବିଭିନ୍ନ ରାଜସ୍ୱ ନୀତିନିୟମର ସଠିକ ଅନୁପାଳନ ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରି ଅଧିକାରୀମାନେ ନିଜ କର୍ତ୍ତବ୍ୟନିଷ୍ଠାର ପ୍ରମାଣ ଦେଇ ଆସିଛନ୍ତି । ତେବେ ନିଷ୍ଠା ଏବଂ କର୍ମକ୍ଷେତ୍ରକୁ ଭଲ ପାଇବା ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଆୟୋଜିତ ଅଷ୍ଟାଦଶ ତ୍ରୈବାର୍ଷିକ ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ରାଜ୍ୟର ରାଜସ୍ୱ ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ସରକାର ଶାସନଭାର ଗ୍ରହଣ କରିବା ପରେ ଅନେକ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ପୂର୍ବରୁ ପ୍ରଚଳିତ ଅନେକ ଆଇନରେ ସରଳୀକରଣ ନେଇ ରାଜ୍ୟ ସରକାର ଯୋଜନା କରୁଥିବାବେଳେ ରାଜସ୍ୱ ବିଭାଗରେ ଥିବା ବିଭିନ୍ନ ଆଇନର ସରଳୀକରଣ ସହ ଏହା କିପରି ଜନହିତକର ହୋଇପାରିବ ସେଥି ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି । ଆଗାମୀ ୨୦୩୬ ମସିହାରେ ଆମ ରାଜ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରୁଥିବାବେଳେ ସମଗ୍ର ଭାରତବର୍ଷରେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ । ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟ ସରକାରଙ୍କ ହାତମୁଠାକୁ ଟାଣ କରିବେ । ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ବିଭିନ୍ନ ସମସ୍ୟାର ଏକ ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଏହି ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।

ବୈଠକରେ ରାଜ୍ୟ ସଂଘ ସଭାପତି ଗୌରୀଶଙ୍କର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ମହମ୍ମଦ ଜାଭେଦ ଆଖତର ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଦୁଃଖୀରାମ ସ୍ୱାଇଁ ଏବଂ ଜିଲ୍ଲା ସଂପାଦକ ଆଲୋକ କୁମାର ଜେନା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।