fbpx

ଅଲଗା ଦଳରୁ ଖେଳିବେ ରିଦ୍ଧିମାନ ସାହା: ଜାଣନ୍ତୁ କେଉଁ ଟିମକୁ ଯିବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ଏବେ ନିଜ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଅନ୍ୟ ଏକ ଦଳରୁ କ୍ରିକେଟ ଖେଳିବେ ସାହା । ଅନ୍ୟ ଦଳକୁ ଯିବା ପାଇଁ ତାଙ୍କୁ ଟିମ ତରଫରୁ ଏନଓସି ମଧ୍ୟ ମିଳି ସାରିଛି । ରିଦ୍ଧିମାନ ସାହାଙ୍କର ହଠାତ ଏମିତି ଏକ ନିଷ୍ପତ୍ତି ଫ୍ୟାନ୍ସମାନଙ୍କୁ ଚକିତ କରି ଦେଇଛି । ଯାହାକୁ ନେଇ ଏବେ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବଙ୍ଗଳା କ୍ରିକେଟରୁ ବିଦାୟ ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର । ଏବେ ତ୍ରିପୁରା ଟିମ ତରଫରୁ ଖେଳିବେ ରିଦ୍ଧିମାନ ସାହା । ଏ ନେଇ ତ୍ରିପୁରା କ୍ରିକେଟ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ କିଶୋର ଦାସ ସୂଚନା ଦେଇଛନ୍ତି । ସାହାଙ୍କ ସହ କଥାବାର୍ତ୍ତା ହୋଇ ସାରିଛି, ଏବଂ ସେ ଏବେ ତ୍ରିପୁରା ତରଫରୁ ଖେଳିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି କିଶୋର । ତେବେ ଜଣେ ଖେଳାଳିଙ୍କ ବ୍ୟତୀତ ତାଙ୍କୁ ଏହି ଦଳରେ ଜଣେ ମେଣ୍ଟରର ଦାୟିତ୍ୱ ମିଳିବ । ତେବେ ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ଟିସିଏ ସହ ଚୁକ୍ତି ସ୍ୱାକ୍ଷର କରି ନେବେ ବୋଲି ଆଶା କରାଯାଉଛି ।

ଆସନ୍ତା ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ରିଦ୍ଧିମାନ ତ୍ରିପୁରା ପକ୍ଷରୁ ଖେଳିବା ନିଶ୍ଚିତ । ତେବେ ତାଙ୍କୁ ଦଳର ନେତୃତ୍ୱ ଦିଆଯିବ କି ନାହିଁ, ସେ ନେଇ ଏବେ ଆଲୋଚନା ଜାରି ରହିଛି । ଅଦିକ ଆଲୋଚନା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କିଶୋର ଦାସ । ତେବେ ସାହାଙ୍କ ଅନୁଭବ ଦଳ ପାଇଁ ଖୁବ ଫାଇଦା ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ସିଏବିର ସଂଯୁକ୍ତ ସଚିବ ଦେବବ୍ରତ ଦାସଙ୍କ ଅଭିଯୋଗ ପରେ ବଙ୍ଗଳା କ୍ରିକେଟ ଟିମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ରିଦ୍ଧିମାନ ସାହା । ରାଜ୍ୟ ପାଇଁ ଘରୋଇ କ୍ରିକେଟରୁ ଦୂରେଇ ରହିବା ପାଇଁ ସାହା ବାହାନା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଦେବବ୍ରତ । ଏହାପରେ ରିଦ୍ଧିମାନ ସାହା ବଙ୍ଗଳା କ୍ରିକେଟ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.