fbpx

ନୋଏଡାରେ ଦିଲ୍ଲୀ ଭଳି ଘଟଣା: ଡେଲିଭରୀ ବଏକୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଟ୍ୟାକ୍ସି ଚାଳକ, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ

ନୋଏଡା: ଏବେ ଏବେ ଦିଲ୍ଲୀରେ କାର ଚାଳକ ଜଣେ ଯୁବତୀଙ୍କୁ ଅନେକ କିଲୋମିଟର ଘୋଷାଡ଼ି ନେଇଥିବା ମାମଲା ଥମିନଥିବା ବେଳେ ଏପରି ଏକ ମାଲା ନୋଏଡ଼ାରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ଅଜଣା ଗାଡ଼ି ଡ୍ରାଇଭର ଏକ ଡେଲିଭରୀ ବଏକୁ ପ୍ରାୟ ୫୦୦ ମିଟର ଘୋଷଡ଼ି ନେଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ କାର ଭିତରେ ଥିବା ଅଭିଯୁକ୍ତ ଫେରାର ଅଛନ୍ତି। ସ୍ୱଗୀ ବୟ ଜଣକ ବାଇକ୍‌ରେ ଖାଦ୍ୟ ଡେଲିଭରି ପାଇଁ ନେଉଥିବା ବେଳେ କାର ଚଳାଉଥିବା ଡ୍ରାଇଭର ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦୦ ମିଟର ଘୋଷାଡ଼ି ନେଇଥିଲେ। ଗତ ରବିବାର ଦିନ ଏହି ଘଟଣା ଘଟିଛି। ମୃତ ସ୍ୱଗୀ ବୟ ଜଣକ ହେଲେ କୌଶଲ। ନୂଆ ବର୍ଷ ରାତିରେ କୌଶଲ ଖାଦ୍ୟ ଡେଲିଭରି ପାଇଁ ନିଜ ବାଇକରେ ଯାଉଥିଲେ। ଏହି ସମୟରେ ଏକ କାର ତାଙ୍କୁ ନୋଏଡା ସେକ୍ଟରର ଫ୍ଲାଏ ଓଭରରେ ଜୋରରେ ଧକ୍କା ଦେଇ ଅତି ନିର୍ମମ ଭାବେ ଘୋଷାଡ଼ି ନେଇଥିବା ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫୦୦ ମିଟର ଦୂରରେ ଡ୍ରାଇଭର ଏକ ମନ୍ଦିର ନିକଟରେ କାରକୁ ଅଟକାଇଥିଲେ। ସେଠାରେ କୌଶଳଙ୍କ ମୃତଦେହ ବାହାରିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ରବିବାର ରାତି ଗୋଟାଏରେ କୌଶଲଙ୍କ ଭାଇ ଅମିତ ତାଙ୍କୁ ଫୋନ କରିଥିଲେ। ସେହି ସମୟରେ ଘଟଣାସ୍ଥଳରେ କୌଶଲଙ୍କ ଫୋନ୍‌ ରିଙ୍ଗ ହେଉଥିବା ବେଳେ ଜଣେ ଯାତ୍ରୀ ଏହାକୁ ଉଠାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଅମିତଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ଜଣେ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଆମେ ଉକ୍ତ ଅଞ୍ଚଳରେ ସିସିଟିଭି ସ୍କାନ କରୁଛୁ।

ଦିଲ୍ଲୀର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ କାର ଧକ୍କା ଦେଇ ପ୍ରାୟ ୧୩ କିଲୋମିଟର ଘୋଷାଡ଼ି ନେଇଥିଲା। ସମାନ ଢଙ୍ଗରେ ଏଠାରେ ପୁନରାବୃତ୍ତି ଘଟିଛି। ୨୦ ବର୍ଷୀୟ ଯୁବତୀଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ। ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର। ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍‌ରେ ଲାଖି ରହିଥିଲା। ଏହି କାରଣରୁ ରାସ୍ତାରେ ଘସି ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣାସ୍ଥଳରୁ ମିଳିଥିବା ନୂଆ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ଜାଣିଛି ଯେ, ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଂଜଳି ତାଙ୍କର ଜଣେ ବନ୍ଧୁ ନିଧିଙ୍କ ସହ ଥିଲେ। ଶନିବାର ସନ୍ଧ୍ୟାରେ ରୋହିଣୀର ଏକ ହୋଟେଲ୍‌ରେ ନୂଆବର୍ଷ ପାର୍ଟି ଚାଲିଥିଲା। ‌ଉଭୟ ଅଂଜଳି ଏବଂ ତାଙ୍କ ସାଙ୍ଗ ଏହି ପାର୍ଟିରେ ଯୋଗ ଦେଇଥିଲେ। ତେବେ ପାର୍ଟି ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହାପରେ ନିଧିଙ୍କୁ ଗାଡ଼ି ପଛରେ ବସାଇ ଅଞ୍ଜଳି ଗାଡ଼ି ଚଳାଇଥିଲେ। ନିଧି କହିଛନ୍ତି, କିଛି ସମୟ ପରେ ଏକ କାର୍‌ ଆସି ସ୍କୁଟିକୁ ପିଟି ଦେଇଥିଲା। ଫଳରେ ସେମାନେ ତଳେ ଛିଟିକି ପଡ଼ିଥିଲେ। ଅଞ୍ଜଳିଙ୍କ ଗୋଡ଼ କାର୍‌ରେ ଚକା ମଝିରେ ଲାଖି ଯାଇଥିଲା। ଦୁର୍ଘଟଣା ପରେ ଅଞ୍ଜଳି ଖୁବ୍‌ ଜୋର ଚିତ୍କାର କରିଥିଲେ ମଧ୍ୟ କାର୍‌ ଡ୍ରାଇଭର ଏବଂ କାର୍‌ରେ ଥିବା ଅନ୍ୟମାନେ ଅଟକି ନଥିଲେ। ନିଧି କହିଛନ୍ତି, ସେମାନେ ଜାଣିଶୁଣି ଦୁର୍ଘଟଣା କରିଛନ୍ତି। ଯଦି ସେମାନେ ଗାଡ଼ି ଅଟକାଇ ଅଞ୍ଜଳିକୁ ଗାଡ଼ି ଚକା ତଳୁ ବାହାର କରଥାନ୍ତେ ତେବେ ହୁଏତ ଅଞ୍ଜଳି ବଞ୍ଚିଥାନ୍ତେ। କିନ୍ତୁ ସେମାନେ ଜାଣିଶୁଣି ତାଙ୍କୁ ଅତି ବର୍ବରତାର ସହ ହତ୍ୟା କରିଛନ୍ତି। ନିଧିଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଥିଲା। ସେ ଦୁର୍ଘଟଣା ପରେ ସ୍ଥାନ ଛାଡ଼ି ପଳାଇଥିଲେ ଏବଂ ଭୟରେ ସେ କାହାକୁ କିଛି କହିନଥିବା କହିଛନ୍ତି।

Get real time updates directly on you device, subscribe now.