fbpx

ରୁଷର ପରମାଣୁ ବୁଡ଼ାଜାହାଜ ଉତ୍ତର ଆଟଲାଣ୍ଟିକ ମହାସାଗରରେ ମାରିଲା ପଇଁତରା, ଭୟଙ୍କର ଦିଗକୁ ମୁହାଁଉଛି ଯୁଦ୍ଧର ଗତିବିଧି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ୩୧ ଦିନରେ ପହଞ୍ଚିଛି । ଏହା ମଧ୍ୟରେ ଉଭୟ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଛି । ଯୁଦ୍ଧ ସମାପ୍ତ ପାଇଁ ଏକାଧିକ ବାର ଦୁଇ ରାଷ୍ଟ୍ର ମଧ୍ୟ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରି ପାରିନାହିଁ । ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ବିଶ୍ୱବାସୀଙ୍କୁ ବେଳକୁ ବେଳ ଅଧିକ ଭୀତତ୍ରସ୍ତ କରିଦେଉଛି । ତେବେ ସଦ୍ୟ ରିପୋର୍ଟ ମୁତାବକ, ରୁଷ ତା’ର ପରମାଣୁ ବୁଡ଼ାଜାହାଜକୁ ଉତ୍ତର ଆଟଲାଣ୍ଟିକ ମହାସାଗରେ ସଜାଗ ରଖିଛି । ୧୬ଟି ବାଲିଷ୍ଟିକ୍ ମିସାଇଲ ବହନ କରିବାର ସକ୍ଷମ ଥିବା ଏକାଧିକ ରୁଷୀୟ ବୁଡ଼ାଜାହାଜ ପଇଁତରା ମାରିବା ପୁଣି ଥରେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ପଶ୍ଚିମୀ ଦେଶଗୁଡ଼ିକର ଗୁଇନ୍ଦା ସଂସ୍ଥାମାନେ ରୁଷର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଏହା ପୂର୍ବରୁ ପୁଟିନ ପଶ୍ଚିମୀ ଦେଶଗୁଡ଼ିକୁ ପରିଣାମ ଭୋଗିବାକୁ ଧମକ ଦେଇଥିଲେ । ଏଥିସହ ନିଜର ନ୍ୟୁକ୍ଲିୟର ଡିଟରେଣ୍ଟ ଫୋର୍ସକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ରୁଷ ପାଖରେ ସର୍ବାଧିକ ପରମାଣୁ ହତିଆର ମହଜୁଦ ରହିଛି । ତେବେ ପଶ୍ଚିମୀ ରାଷ୍ଟ୍ରର ଜଣେ ଅଧିକାରୀଙ୍କ ମତରେ, ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ରୁଷ ପ୍ରୟୋଗ କରିଥିବା ମିସାଇଲରେ ପରମାଣୁ ଅସ୍ତ୍ରର ଲୋଡ୍ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ତେବେ ଦୁଇଟି କାରଣ ପାଇଁ ପୁଟିନ ନିଜର ପରମାଣୁ ଶକ୍ତିକୁ ଆଲର୍ଟରେ ରଖିଥାନ୍ତି । ପ୍ରଥମତଃ, ପୁଟିନ ଏହା ମାଧ୍ୟମରେ ଶତ୍ରୁ ଦେଶ ମନରେ ଭୟ ଜାଗ୍ରତ କରିବାକୁ ଚାହୁଁଛନ୍ତି । ଫଳରେ କୌଣସି ରାଷ୍ଟ୍ର ଆକ୍ରମଣ କରିବା ପୂର୍ବରୁ ଶହେ ଥର ଭାବିବ । ଦ୍ୱିତୀୟତଃ, ୟୁକ୍ରେନକୁ ବିଭିନ୍ନ ରାଷ୍ଟ୍ରମାନେ ସହଯୋଗ କରୁଥିବାରୁ ଏହି ଧମକ ଦ୍ୱାରା ସେମାନେ ଆଗକୁ ବଢ଼ିବାକୁ ଚିନ୍ତା କରିବେ ନାହିଁ ।

Get real time updates directly on you device, subscribe now.