କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ବଦଳାଇବ ରାଜସ୍ଥାନ ରାଜନୀତି! ପାଇଲଟ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଗେହଲଟଙ୍କ ଅକଲ ଗୁଡ଼ୁମ୍

ନୂଆଦିଲ୍ଲୀ: ସାରା ଭାରତବର୍ଷରେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି । ଗାନ୍ଧି ପରିବାର ନା ଅନ୍ୟ କାହା ହାତକୁ ଯିବ କଂଗ୍ରେସର ମଙ୍ଗ ତାହା ଏବେ ରହିଛି ମୁଖ୍ୟ ପ୍ରସଙ୍ଗ । ରାହୁଲ ଗାନ୍ଧିଙ୍କୁ ଏହି ଶୀର୍ଷ ପଦରେ ବସାଇବା ପାଇଁ ଦୀର୍ଘଦିନ ଧରି ପ୍ରୟାସ ଜାରି ରହିଥିଲେ ହେଁ ସେ ଏହି ଦାୟିତ୍ୱଠାରୁ ଦୂରେଇ ରହିଛନ୍ତି । ତେବେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସର୍ବାଗ୍ରେ ରହିଛି ।

ଚଳିତ ବର୍ଷ ପ୍ରାରମ୍ଭରେ ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ସମ୍ମିଳନୀରେ ‘ଏକ ବ୍ୟକ୍ତି ଏକ ପଦ’କୁ ନେଇ ନିଷ୍ପତ୍ତି ହୋଇଥିଲା । ଉକ୍ତ ସିଦ୍ଧାନ୍ତକୁ ପାଳନ କରାଯିବା ନେଇ ଏବେ ରାହୁଲ ସଙ୍କେତ ଦେଇଛନ୍ତି । ଯଦି କଂଗ୍ରେସ ଏହି ସିଦ୍ଧାନ୍ତକୁ ଆଗକୁ ପାଳନ କରେ, ତେବେ ଗେହଲଟଙ୍କ ପାଇଁ ନିଶ୍ଚିତ ଭାବେ ଏକ କଡ଼ା ସନ୍ଦେଶ ହେବ । କାରଣ ପୂର୍ବରୁ ଗେହଲଟ ନିଜର ସୁଚତୁର ଗୋଟି ଚାଳନା କରି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଇ ନଥିଲେ । ମାତ୍ର ଏବେ ସମୟ ଚକ୍ରରେ ପାଇଲଟଙ୍କ ହାତକୁ ରାଜସ୍ଥାନ ଡୋରି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଶଶୀ ଥରୁର ଓ ଗେହଲଟଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ ନେଇ ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ଅଧିକ ରହିଛି । ଯଦି ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି ଓ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଆନ୍ତି, ତେବେ ଦଳ ରାଜସ୍ଥାନରେ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ଥୟ । ମାତ୍ର ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କୁଣ୍ଠାବୋଧ କରୁଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ଅଧ୍ୟକ୍ଷ ଦୁଇଟି ଯାକ ପଦ ସମ୍ଭାଳିବା ସପକ୍ଷରେ ରହିଛନ୍ତି ଗେହଲଟ । ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ତେବେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାଇଲଟଙ୍କୁ ଦାୟିତ୍ୱ ଦିଆଯିବା ଦରକାର ବୋଲି ତାଙ୍କର ସମର୍ଥକମାନେ କହିଛନ୍ତି ।

Get real time updates directly on you device, subscribe now.