ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍, 18 ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍ । ଇଂଲଣ୍ଡ ଲିଡ୍ସରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ 3 ଟାରୁ ଆରମ୍ଭ ହେବ ମ୍ୟାଚ୍ ।
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍ । ଇଂଲଣ୍ଡ ଲିଡ୍ସରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ 3 ଟାରୁ ଆରମ୍ଭ ହେବ ମ୍ୟାଚ୍ । ଗିଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତା’ସହିତ ଭାରତୀୟ କ୍ରିକେଟ୍ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ।
5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଶୁବମନ ଗିଲଙ୍କ ଅଧିନାୟକ ଘୋଷଣା କରାଯାଇଛି । ଅତୀତରେ ସୀମିତ ଓଭର ଫର୍ମାଟରେ ଭାରତର ଅଧିନାୟକ ରହିଥିବା ଗିଲ ଏହି ଟେଷ୍ଟ ଜରିଆରେ ରେଡ ବଲ ଫର୍ମାଟରେ କ୍ୟାପଟେନ୍ସି ଡେବ୍ୟୁ କରିବେ।
ଭାରତୀୟ ଦଳରୁ ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଖେଳାଳି ଅବସର ନେଇଥିବା ବେଳେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭାରତର ଟିମ ସିଲେକ୍ସନ ଓ ବ୍ୟାଟିଂ ପୋଜିସନକୁ ନେଇ ଉତ୍କଣ୍ଠା ରହିଛି। ଇଂଲଣ୍ଡ ପରିବେଶରେ ଅନେକ ଖେଳାଳି ପ୍ରଥମ ଥର ଖେଳିବାକୁ ଯାଉଥିବା ବେଳେ ଭାରତର ପ୍ଲେଇଙ୍ଗ ଇଲେଭେନ ଉପରେ ସମସ୍ତଙ୍କ ନଜର ରହିଛି।
ହେଡିଙ୍ଗଲିରେ ଖେଳା ଯିବାକୁ ଥିବା ମ୍ୟାଚ ପୂର୍ବରୁ ଏହି ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ । ଗୁରୁବାର ଅନୁଷ୍ଠିତ ପ୍ରେସ କନଫରେନ୍ସରେ ସେ ଏହା ସ୍ପଷ୍ଟ କରିଛନ୍ତି। ଅଧିନାୟକ ଗିଲ 4 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ପ୍ରଥମେ 4 ନମ୍ବରରେ ସଚିନ ତେନ୍ଦୁଲକର ବ୍ୟାଟିଂ କରୁଥିବା ବେଳେ ତାଙ୍କ ପରେ କିଙ୍ଗ କୋହଲି ଏହି ଭାର ସମ୍ଭାଳିଥିଲେ। ବର୍ତ୍ତମାନ କୋହଲିଙ୍କ ଅନୁପସ୍ଥିତିରେ ଗିଲ ସେହି ଦାୟିତ୍ବ ସମ୍ଭାଳିବେ।
ସେହିପରି ପନ୍ତ ନିଜେ 5 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ବୋଲି ଜଣା ପଡିଛି। ସେହିପରି ଯଶସ୍ବୀ ଜୟସ୍ବାଲ ଓପନର ଭାବେ ଖେଳିବା ସ୍ପଷ୍ଟ ବୋଲି କହିଛନ୍ତି ପନ୍ତ।