ସୈଫଙ୍କୁ ଆକ୍ରମଣ ଘଟଣା, ମିଶୁନି ଗିରଫ ହୋଇଥିବା ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ

ପୋଲିସର ଭୁମିକାକୁ ନେଇ ଉଠିଲା ପ୍ରଶ୍ନ। ଭୁଲ୍ ଲୋକକୁ ଗିରଫ କରିନି ତ ମୁମ୍ୱାଇ ପୋଲିସ? ସାମ୍ପଲ ସହ କାହିଁକି ମ୍ୟାଚ୍ ହେଲାନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ।

ମୁମ୍ୱାଇ: ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ଼ ଘଟଣାରେ ଆସିଲା ନୂଆ ମୋଡ଼। ମେଳ ଖାଉନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ। ପୂର୍ବରୁ ମଧ୍ୟ ସୈଫଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସିଛି।

ପ୍ରକୃତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନାଁ ସେ ଅଭିନୟ କରୁଛନ୍ତି ବୋଲି ବି ରାଜନେତାମାନେ ପ୍ରଶ୍ନ ଉଠାଇଥିଲେ। ହେଲେ ଏବେ ସେହି ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। କି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ ମିଶୁନି।

ଲ୍ୟାବ ଟେଷ୍ଟ: ଘଟଣା ଅନୁଯାୟୀ, ଯେତେବେଳେ ସୈଫଙ୍କ ଉପରକୁ ଜାନୁଆରୀ 16 ତାରିଖରେ ଆକ୍ରମଣ ହୋଇଥିଲା। ଘଟଣାର ତିନିଦିନ ପରେ ହିଁ ଶରିଫୁଲ ରେହମାନ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା ମୁମ୍ୱାଇ ପୋଲିସ।

ଆଉ ପରେ କ୍ରାଇମସିନ୍ ରିକ୍ରିଏସନ୍ କରିବା ସହ ମୁମ୍ବାଇ ପୋଲିସ ଜାନୁଆରୀ ୨୨ ତାରିଖରେ ଫିଙ୍ଗରପ୍ରିଣ୍ଟ ସମେତ ଅନେକ ସାମ୍ପଲ ସିଆଇଡିକୁ ଯାଞ୍ଚ ପାଇଁ ଦେଇଥିଲା। ହେଲେ ଏବେ ଅଭିଯୁକ୍ତ ଶରିଫୁଲ ରେହମାନର ଫିଙ୍ଗରପ୍ରିଣ୍ଟ, ସୈଫ୍ ଅଲ୍ଲୀ  ଖାନ୍‌ଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ସାମ୍ପଲ ସହ ମେଳ ଖାଇନାହିଁ।

ଭୁଲ୍ ଅଭିଯୁକ୍ତ ଗିରଫ: ଗିରଫ ହୋଇଥିବା ଅଭିଯୁକ୍ତ ସହ ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ନଖାଇବାରୁ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ପୋଲିସ ଭୁଲ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ପୁଣି ଥରେ ସନ୍ଦେହ ପ୍ରକାଶ ପାଇଛି।

ପୋଲିସର ଭୁମିକାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୈଫ୍‌ଙ୍କ ଉପରେ ହୋଇଥିବା ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ଆଶଙ୍କା କରୁଛି।