ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ଦୁର୍ଘଟଣାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ମୃତ୍ୟୁ ଘଟିଛି । ଏକ ସଡ଼କ ଦୁର୍ଘଟଣା ପରେ ସୁଦର୍ଶନ ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୁଦର୍ଶନଙ୍କ ଅଚାନକ ବିୟୋଗରେ ତାଙ୍କର ପରିବାର, ବନ୍ଧୁ ପରିଜନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଏକ ଦୁର୍ଘଟଣାରେ ସମାଜବାଦୀ ପାର୍ଟି ନେତା ସୁଦର୍ଶନଙ୍କ ପରଲୋକ ଘଟିଛି । ଭୁବନେଶ୍ୱରରୁ ପିପିଲିକୁ ବାଇକ୍ ଯୋଗେ ଯାଉଥିଲେ ସୁଦର୍ଶନ । ମାତ୍ର ଦୁର୍ଭାଗ୍ୟବଶତଃ ଶିଶୁଭବନ ଛକଠାରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୁଦର୍ଶନଙ୍କ ଅକାଳ ବିୟୋଗରେ ତାଙ୍କର ପରିବାରବର୍ଗ ମର୍ମାହତ ହୋଇ ପଡ଼ିଛନ୍ତି ।

ମାତ୍ର ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୁଦର୍ଶନଙ୍କ ଘର ପିପିଲି ନିକଟସ୍ଥ ସୁନାମୁଇଁ ଗାଁରେ ହୋଇଥିବା ବେଳେ ସେ ରାଜନୀତି ସହିତ ଜଡ଼ିତ ଥିଲେ । ସେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱରେ ରହିଥିଲେ । ସେ ଜଣେ ସମାଜସେବୀ ହୋଇଥିବା ବେଳେ ସାହିତ୍ୟ ପ୍ରତି ତାଙ୍କର ବିଶେଷ ରୁଚି ରହିଥିଲା । ତାଙ୍କର ଅକାଳ ବିୟୋଗରେ ରାଜନୈତିକ କ୍ଷେତ୍ର ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ ଦୁଃଖ ପ୍ରକାଶ କରିଛନ୍ତି ।