ପ୍ରବଳ ବର୍ଷାକୁ ନେଇ ଆଲର୍ଟ; ସ୍କୁଲ ଛୁଟି, IT କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ଗୋଟିଏ ପଟେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଭୋର ସମୟରେ ଶୀତ ଆରମ୍ଭ ହେବାକୁ ବସିଥିବା ବେଳେ ଅନ୍ୟପଟେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଦେଖାଯାଇଛି । ରାସ୍ତାଘାଟ ଜଳମଗ୍ନ ଦେଖାଯାଇଛି । ତେବେ ବର୍ଷାକୁ ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ତାମିଲନାଡୁରେ ପ୍ରବଳ ବର୍ଷା ହେତୁ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ ରହିଛି । ଖରାପ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ଦିନ ଚାରିଟି ଜିଲ୍ଲାର ସ୍କୁଲ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତ ପାଣିପାଗ ବିଭାଗ (IMD) ଚେତାବନୀ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ କେତେକ ସ୍ଥାନରେ ଝଡ ସହିତ ବଜ୍ରପାତର ସମ୍ଭାବନା ରହିଥିବାରୁ ସତର୍କ କରାଯାଇଛି । ଅନ୍ୟପଟେ ଆଇଟି କର୍ମଚାରୀମାନଙ୍କୁ 15ରୁ 18 ତାରିଖ ଯାଏଁ ଘରେ ବସି କାମ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁସାରେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ବର୍ଷା ଜାରି ରହିଛି । ଚେନ୍ନାଇ ସମେତ ଅନ୍ୟ ଉତ୍ତର ତାମିଲନାଡୁ ଜିଲ୍ଲା – କାଞ୍ଚିପୁରାମ, ଚେଙ୍ଗାଲପାଟ୍ଟୁ ଏବଂ ତିରୁଭାଲୁର ସହିତ ଆସନ୍ତା କିଛି ଦିନ ମଧ୍ୟରେ 20 ସେମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.