fbpx

ଓଡ଼ିଶାର ଏହିସବୁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଓ ବନ୍ୟାପାଣି ଯୋଗୁଁ ବୁଡ଼ି ରହିଛି ଶହ ଶହ ଏକର ଚାଷ ଜମି । ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଏହାରି ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବନ୍ଦ କରିବାକୁ ସବୁ ବିଇଓମାନଙ୍କୁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି । ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲର ମୂଲ୍ୟବାନ୍ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏହା ସହ ନୟାଗଡ଼ ଜିଲ୍ଲା ୩ଟି ବ୍ଲକର ୩୨ଟି ସ୍କୁଲକୁ ୨ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆରେ ୧୧, ଖଣ୍ଡପଡ଼ାରେ ୯ ଓ ଭାପୁରରେ ୧୨ଟି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ ।

ଅନ୍ୟପଟେ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବନ୍ୟା ସମୀକ୍ଷା କରିଛନ୍ତି । ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.