fbpx

ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ବିଧାନସଭା ମୌସୁମୀ ଅଧିବେଶନର ୨ୟ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଗୃହରେ ୧୦ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ କରାଯିବ ।

ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ ସେଗୁଡ଼ିକୁ ୨୯ ତାରିଖରେ ଗିଲୋଟିନ ମାଧ୍ୟମରେ ପାରିତ କରାଯିବ । ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟିଏ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବାବେଳେ ୨ୟ ପର୍ଯ୍ୟାୟରେ ପ୍ରଶ୍ନକାଳ କିଭଳି ସୁରୁଖୁରୁରେ ଚାଲିପାରିବ ସେନେଇ ଉଦ୍ୟମ କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଏହି ୨ୟ ପର୍ଯ୍ୟାୟରେ ବିରୋଧୀ ରୁଚିକା ଆତ୍ମହତ୍ୟା ମାମଲାରେ ତାଙ୍କ ମା’ଙ୍କୁ ଉଠାଇ ନେବା ଏବଂ ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ସ୍ଥିତି, ନାରୀ ନିର୍ଯାତନା, ଚାଷୀ ଆତ୍ମହତ୍ୟା ଓ ରୁଚିକା ପ୍ରସଙ୍ଗ ଉଭୟ ବିଜେପି ଓ କଂଗ୍ରେସ ଉଠାଇବେ ।

ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ମୁଖ୍ୟ ପର୍ଯ୍ୟାୟ ବିଭାଗୱାରୀ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ପୂର୍ବରୁ ଯାହା କାର୍ଯ୍ୟକ୍ରମ ସ୍ଥିର ହୋଇଛି ସେହି ଅନୁସାରେ ସବୁ କାର୍ଯ୍ୟକ୍ରମ ଚାଲିବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟ ସଚେତକ କହିଛନ୍ତି । ଏପରିକି ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆଣିଲେ ମଧ୍ୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.