fbpx

ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଝଟକା: ପୂର୍ବତନ ମନ୍ତ୍ରୀ ପଦ୍ମକର ଭାଲଭୀ ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ଏହା ମଧ୍ୟରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ପୁଣି ଏକ ବଡ଼ ଝଟକା । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମକର ଭାଲଭୀ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମକର ଶାହଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହୋଇଥିବା ବେଳେ ସେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱାଙ୍କୁଲେ ଓ ଅଶୋକ ଚଭବନଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଥିଲେ ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଗତମାସରେ ପୂର୍ବତନ ମନ୍ତ୍ରୀ ବସଭରାଜ ପାଟିଲ ଦଳରୁ ଇସ୍ତଫା ଦେଇଥିଲେ । ସେହିପରି ତାଙ୍କ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ବରିଷ୍ଠ ନେତା ମିଲିନ୍ଦ ଦେୱରା, ବାବା ସିଦ୍ଦିକୀ ମଧ୍ୟ ହାତ ଛାଡ଼ିଥିଲେ । ଅଶୋକ ବିଜେପିରେ ସାମିଲ ହୋଇଥିବା ବେଳେ ମିଲିନ୍ଦ ଏକନାଥ ଶିନ୍ଦେଙ୍କ ଶିବସେନାରେ ସାମିଲ ହୋଇଥିଲେ । ସେହିପରି ବାବା ଅଜିତ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.