ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଭ୍ୟ ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ସମ୍ମାନଜନକ ପଦବୀ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସଂପ୍ରତି ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ଏବଂ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଥିବା ଶ୍ରୀ ମହାନ୍ତି ଦୀର୍ଘ ଦିନ ଧରି ଓଡ଼ିଶା ସାମ୍ବାଦିକତା ଜଗତରେ କାର୍ଯ୍ୟ କରିଆସୁଛନ୍ତି । ଜଣେ ଆଗଧାଡ଼ିର ରାଜନୈତିକ ସମୀକ୍ଷକ ଭାବେ ବେଶ୍ ପରିଚିତ ଶ୍ରୀ ମହାନ୍ତି ଆଗାମୀ ତିନି ବର୍ଷ ପାଇଁ ପିସିଆଇ ସଭ୍ୟଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ଭାରତୀୟ ପ୍ରେସ୍ କାଉନସିଲ୍ ତରଫରୁ ଶ୍ରୀ ମହାନ୍ତିଙ୍କ ମନୋନୟନ ସମ୍ପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗଣମାଧ୍ୟମ ସୁରକ୍ଷା ଓ ସାମ୍ବାଦିକଙ୍କ ସାମୁହିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଏହା ଏକ ସର୍ବୋକୃଷ୍ଟ ସୁଯୋଗ ବୋଲି ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।