ବରଗଡ- କଲେଜ ଅଧ୍ୟାପକଙ୍କ ନାମରେ ଗୁରୁତର ଅଭିଯୋଗ । ଗୁରୁ ଭବିଷ୍ୟତ ଗଠନ କରିବା ପାଇଁ ଶିକ୍ଷା ନ ଦେଇ ଶିଖାଉଛନ୍ତି ପ୍ରେମ ପାଠ । କ୍ଲାସ ସମୟରେ ପିଲାଙ୍କୁ ପଠାଉଛନ୍ତି ମେସେଜ, ଯେଉଁଥିରେ କରୁଛନ୍ତି ପ୍ରେମ ନିବେଦନ ବୋଲି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲେଇଲେ ଛାତ୍ର ଛାତ୍ରୀ । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ଅଧ୍ୟାପକ ।
ବରଗଡ ଜିଲ୍ଲା, ପଦ୍ମପୁରର ଏକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକାଠି ହୋଇ କଲେଜ ଗେଟ୍ ବନ୍ଦ କରି ପ୍ରତିବାଦ କରିବା ପରେ ପଦ୍ମପୁର ଏଡିଏମ୍ ଓ ପୋଲିସ କଲେଜ୍ ପରିଷରରେ ପହଞ୍ଚି ପଚରା ଉଚରା କରିବା ସହ ଘଟଣା ସମ୍ପର୍କରେ ବୁଝିଛନ୍ତି । ତେବେ ଏନେଇ ଏକ କମିଟି ଗଠନ କରାଯାଇ ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ଏଡିଏମ୍ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।
ଅଭିଯୋଗ ହୋଇଥିବା ଅଧ୍ୟାପକ ବିରଞ୍ଚି ସାହୁଙ୍କୁ କଲେଜ ଯିବାକୁ ମନା କରାଯାଇଛି । ତଦନ୍ତ ରିପୋର୍ଟରେ ସତ୍ୟତା ଜଣା ପଡିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଅଧ୍ୟାପକ ।
ଅଧ୍ୟାପକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି ଦୁଇ ଜଣ ଛାତ୍ରୀ କଲେଜର ସମୟରେ ଅନ୍ୟ ପୁଅ ସହ ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଆଉ କହିଥିଲେ କାହିଁକି ଏମିତି ପାଠ ନ ପଢ଼ି ଯାଉଚ, ବାସ ଏତିକି କଥାରେ ଗାଡିରୁ ଓହ୍ଲାଇ ପଡି ସେମାନେ କ୍ଷମା ମାଗିଥିଲେ । ଏହା ପରେ ତାଙ୍କୁ ବଦନାମ କରିବାକୁ ଏପରି ଷଡଯନ୍ତ୍ର କରାଯାଇଥିବା କହୁଛନ୍ତି ଅଧ୍ୟାପକ ।