fbpx

ଇଣ୍ଡିଗୋ ଉଡ଼ାଣରେ ଯୌନ ଉତ୍ପୀଡ଼ନ: ବିରୋଧ କରିବାରୁ ଲାଗିଲା ଝଗଡା, ଅଭିଯୁକ୍ତ ପ୍ରଫେସର ଗିରଫ

Advertisement

ମୁମ୍ବାଇ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଉଡ଼ାଣ ସମୟରେ ପ୍ରଫେସର ଜଣେ ୨୪ ବର୍ଷୀୟ ଯୁବତୀ ଯାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତକୁ ଗିରଫ କରାଯାଇଛି। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏହି ବିଷୟ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସହିତ ଜଡିତ। ପୋଲିସ କହିଛି ଯେ, ଅଭିଯୁକ୍ତ ପ୍ରଫେସର ରୋହିତ ଶ୍ରୀବାସ୍ତବଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ଏବଂ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

ପୋଲିସର ସୂଚନାନୁସାରେ, ପାଟଣାର ବାସିନ୍ଦା ରୋହିତ ଶ୍ରୀବାସ୍ତବ ଏବଂ ସେହି ୨୪ବର୍ଷୀୟ ମହିଳା ଡାକ୍ତରଙ୍କ ସିଟ ଲାଗିକରି ଥିଲା। ବିମାନ ଦିଲ୍ଲୀରୁ ସକାଳ ୫.୩୦ ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ମୁମ୍ବାଇରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଉକ୍ତ ମହିଳାଙ୍କ ସହ ଏହି କାର୍ଯ୍ୟ କରିଥିଲା। ପୋଲିସ କହିଛି ଯେ, ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ଯାତ୍ରା ସମୟରେ ଶ୍ରୀବାସ୍ତବ ତାଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିଥିଲେ।

ଏହା ପରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯେତେବେଳେ ଯୁକ୍ତିତର୍କ ଅଧିକ ବଢିଗଲା, କ୍ରୁ କର୍ମଚାରୀମାନେ ସେଠାରେ ପହଞ୍ଚି ସମାଧାନ କରିବାକୁ ଚେଷ୍ଟା କଲେ। ଏହା ପରେ ବିମାନ ଅବତରଣ କରିବା ପରେ ଅଧିକାରୀମାନେ ଉଭୟଙ୍କୁ ସାହାର ପୋଲିସ ଷ୍ଟେସନକୁ ନେଇଥିଲେ, ଯେଉଁଠାରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ଡାକ୍ତରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଥିଲା।

ପୋଲିସ କହିଛି ଯେ, ଆଇପିସିର ଧାରା ୩୫୪ ଏବଂ ୩୫୪ ‘A’ ଅନୁଯାୟୀ ଶ୍ରୀବାସ୍ତବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଧିକାରୀ କହିଛନ୍ତି ଯେ, ଏଫ୍ଆଇଆର ପଞ୍ଜୀକରଣ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ତେବେ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଏଥି ସହିତ ଇଣ୍ଡିଗୋରୁ ଏହି ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଆସିନାହିଁ।

Get real time updates directly on you device, subscribe now.