fbpx

ସହିଦ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଅଷ୍ଟମ କମଲ ଗାଙ୍ଗୁଲି କ୍ରୀଡା ପୁରସ୍କାର ବିତରଣ; ପିଟର ତିର୍କୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସହିଦ ସ୍ପୋର୍ଟିଂ କ୍ଲବ ତରଫରୁ ୨୦୨୦-୨୧ ବର୍ଷ ପାଇଁ ଅଷ୍ଟମ କମଲ ଗାଙ୍ଗୁଲୀ କ୍ରୀଡା ପୁରସ୍କାର କ୍ଲବ ପ୍ରାଙ୍ଗଣରେ ବିତରଣ କରାଯାଇଛି। ୨୦୧୨ ମସିହା ଠାରୁ ଏହି କ୍ରୀଡା ପୁରସ୍କାର ଆୟୋଜିତ ହୋଇଆସୁଛି । ଯାହାର ପ୍ରୟୋଜକ ଅଛନ୍ତି ମାରୁତି ଇଷ୍ଟେଟ ଇଣ୍ଡିଆ ପ୍ରା ଲିମିଟେଡ଼ ।

ରାଜ୍ୟର ସମସ୍ତ ନାମୀ କ୍ରୀଡା ସାମ୍ବାଦିକ, ମାରୁତି ଇଣ୍ଡିଆ ପ୍ରା ଲିମିଟେଡ଼ ର ଏମ.ଡି ଜିତେନ୍ଦ୍ର ପ୍ରସାଦ ସିଂ ଓ ସହିଦ ସ୍ପୋଟିଂର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଚୟନ କମିଟି, ଶ୍ରେଷ୍ଠ କୋଚ ପାଇଁ କରାଟେ କୋଚ ହରି ପ୍ରସାଦ ପଟ୍ଟନାୟକ ଏବଂ ଲାଇଫ ଟାଇମ ଆଚିଭମେଣ୍ଟ ପାଇଁ ପୂର୍ବତନ ହକି ଖେଳାଳୀ ପିଟର ତିର୍କୀଙ୍କୁ ମନୋନୀତ କରିଥିଲେ।

ଶୁକ୍ରବାର ଅପରାହ୍ନରେ ସହିଦ ସ୍ପୋର୍ଟିଂ କ୍ଲବ ପରିସରରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଏବଂ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା.ବିଶ୍ୱଜିତ ମିଶ୍ର  ଅତିଥି ଭାବରେ ଯୋଗଦେଇଥିଲେ ।

କରାଟେ କୋଚ ହରିପ୍ରସାଦ ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ୍ ଏବଂ ପିଟର ତିର୍କୀଙ୍କୁ ଲାଇଫ୍ ଟାଇମ ଆଚିଭମେଣ୍ଟ  ପୁରସ୍କାର ବାବଦରେ ମାନପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା। ବିଗତ ବର୍ଷ ମାନଙ୍କରେ ସଫଳତା ପାଇଁ କ୍ଲବର ଖେଳାଳି ମାନକୁ ପୁରସ୍କୃତ କରାଯାଇଥିଲା। ଦେବାଶିଷ ମହାନ୍ତି,ରଶ୍ମି ରଞ୍ଜନ ପରିଡା, ପି.ଜୟଚନ୍ଦ୍ରଙ୍କ ପରି ବିଗତ ଦିନର ଖେଳାଳି ତଥା କ୍ଲବର ବରିଷ୍ଠ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ସହିତ କ୍ଲବ କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ପୁରସ୍କାର ଉତ୍ସବକୁ ପରିଚାଳନା କରିଥିଲେ।

 

 

Get real time updates directly on you device, subscribe now.