fbpx

ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ବେଙ୍ଗାଲୁରୁରୁ ଗିରଫ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଫ୍ଲାଇଟରେ ଯାତ୍ରା କରୁଥିବା ସମୟରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଦିଲ୍ଲୀ ପୋଲିସ ଟିମ୍ ଗିରଫ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରୁ ଶଙ୍କରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ଅଣାଯାଇଛି । ଏବେ ବି ମାମଲାର ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ‘ବିଜ୍ନେସ୍ କ୍ଲାସ୍’ରେ ଯାତ୍ରାରତ ଜଣେ ବୟୋଜ୍ୟେଷ୍ଠା ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ସ୍ତ୍ରୀ ଓ ପିଲା ଅସୁବିଧାରେ ପଡ଼ିବେ ଜଣାଇ ପୋଲିସରେ ଅଭିଯୋଗ ନ କରିବା ଲାଗି ପରେ ସେ ଉକ୍ତ ମହିଳାଙ୍କ ନିକଟରେ କ୍ଷମାଭିକ୍ଷା କରିଥିଲେ ।

ବିମାନର ପରିଚାରକମାନେ ବି ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆପୋସ ବୁଝାମଣା କରାଇବାକୁ ଉଦ୍ୟମ କରିଥିଲେ ବୋଲି ଉକ୍ତ ମହିଳା ଯାତ୍ରୀ କହିଥିଲେ । ଶେଷରେ, ପୀଡ଼ିତା ମହିଳାଜଣକ ‘ଟାଟା ଗ୍ରୁପ୍’ର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ଙ୍କୁ ଅଭିଯୋଗ କରିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ଫେରାର ହୋଇଯାଇଥିବା ଶଙ୍କରଙ୍କୁ ଠାବ କରିବା ନିମନ୍ତେ ‘ଲୁକ୍ ଆଉଟ୍ ନୋଟିସ୍’ ବା ‘ଏର୍ୟାପୋର୍ଟ ଆଲର୍ଟ’ ଜାରି କରାଯାଇଥିଲା । ଶଙ୍କରଙ୍କ ଅବସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୋଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଟିମ୍ ମୁତୟନ କରିଥିଲା ।

ପୋଲିସ ସୂତ୍ରରୁ ପ୍ରକାଶ, ଶଙ୍କର ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ ସୁଦ୍ଧା, ସାଙ୍ଗସାଥୀମାନଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ସବୁ ଚଳାଉ ଥିଲେ । ତାହାକୁ ଆଧାର କରି ଶଙ୍କରଙ୍କ ଅବସ୍ଥିତି ଜଣାପଡ଼ିଥିଲା । ଅନ୍ୟୂନ ଗୋଟିଏ ଜାଗାରେ ୩୪ ବର୍ଷିୟ ମିଶ୍ରା ତାଙ୍କର କ୍ରେଡିଟ୍ କାର୍ଡ ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.