fbpx

ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ଵାର, ଏବେ ଗୋପାଳ କୃଷ୍ଣଙ୍କ ଭରସାରେ ବିରୋଧୀ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ଏହା ପରେ ବିରୋଧୀ ପ୍ରାର୍ଥୀ ସନ୍ଧାନରେ ନୂତନ ଦ୍ଵାର ଖୋଜିଛନ୍ତି। କୁହାଯାଉଛି ବିରୋଧୀ ଦଳର ନେତାମାନେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ପାଇଁ ମହାତ୍ମା ଗାନ୍ଧୀଙ୍କ ଅଣନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ ଯୋଗାଯୋଗ କରିଛନ୍ତି। ଏହା ପୂର୍ବରୁ ଗୋପାଳ କୃଷ୍ଣ ଗାନ୍ଧୀ ୨୦୧୭ରେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ମଧ୍ୟ ଥିଲେ। ହେଲେ ସେ ନିର୍ବାଚନରେ ଭେଙ୍କେୟା ନାଇଡୁଙ୍କଠୁ ହାରି ଯାଇଥିଲେ।

ସୂଚନା ଅନୁଯାୟୀ, ବିରୋଧୀ ଦଳର ନେତା ଗାନ୍ଧୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଏବଂ ରାଷ୍ଟ୍ରପତି ପଦ ପାଇଁ ବିରୋଧୀମାନଙ୍କ ପ୍ରାର୍ଥୀ ଭାବେ ଲଢିବାକୁ ଅନୁରୋଧ କରିଛନ୍ତି। ଗୋପାଳଙ୍କ ବ୍ୟତୀତ ବିରୋଧୀ ଅନ୍ୟ କିଛି ନେତାଙ୍କ ନାମ ଉପରେ ମଧ୍ୟ ବିଚାର କରୁଛନ୍ତି ଏବଂ ସହମତି ପାଇଁ ମଧ୍ୟ ଯୋଗାଯୋଗ କରୁଛନ୍ତି।

୨୦୦୪ରୁ ୨୦୦୯ ପର‌୍ୟ୍ୟନ୍ତ ଗୋପାଳ କୃଷ୍ଣ ଗାନ୍ଧୀ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ସେ ବିରୋଧୀଦଳଗୁଡିକର ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କିଛି ସମୟ ମାଗିଛନ୍ତି। ଗାନ୍ଧୀଙ୍କ ସହ ଯୋଗାଯୋଗ କରିଥିବା ନେତା କହିଛନ୍ତି, ଏହି ଅନୁରୋଧ ଉପରେ ଗାନ୍ଧୀଙ୍କ ପ୍ରତିକ୍ରିୟା ସକରାତ୍ମକ ରହିଛି। ଏହି ପୂର୍ବତନ ପ୍ରଶାସନିକ ଅଧିକାରୀ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଛନ୍ତି।

ଏହା ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର ରାଷ୍ଟ୍ରପତି ପଦ ପାଇଁ ବିରୋଧୀଙ୍କ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ଫଷ୍ଟ କରି ସାରିଛନ୍ତି। ପାଓ୍ଵାର କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ବିରୋଧୀ ଚେହେରା ନୁହନ୍ତି। ଏହା ପରେ ବିରୋଧୀ ଦଳର ଆଶା ଏବେ ମହାତ୍ମା ଗାନ୍ଧୀଙ୍କ ଅଣନାତି ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନିକଟରେ ରହିଛି।

Get real time updates directly on you device, subscribe now.