fbpx

ଆମାଜନରେ ମହଙ୍ଗା ହେବ ଶପିଂ, ଏହି ତାରିଖରୁ ବୃଦ୍ଧି ପାଇବ ଉତ୍ପାଦର ମୂଲ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଅନଲାଇନ୍ ଶପିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଚିନ୍ତାର ବିଷୟ । ବିଶିଷ୍ଟ ଇ-କମର୍ସ କମ୍ପାନର ଆମାଜନ୍‌(Amazon)ରେ ବର୍ତ୍ତମାନ ଶସ୍ତାରେ ଜିନିଷ ମିଳିବା କଷ୍ଟକର ହେବ । ଏହାର କାରଣ ହେଉଛି ବର୍ତ୍ତମାନ ଇ-କମର୍ସ କମ୍ପାନୀ ଆମାଜନ୍ ବିକ୍ରେତା ଦେୟ(Amazon Seller Fees) ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି । ମୁଦ୍ରାସ୍ଫୀତି, ସୁଧ ହାର, ପରିଚାଳନା ଖର୍ଚ୍ଚ ଆଦିକୁ ବିଚାରକୁ ନେବା ସହିତ ଅନ୍ୟାନ୍ୟ କାରଣ ପାଇଁ କମ୍ପାନି ଏହି ନିଷ୍ପତ୍ତି ନେଇଛି। ଆସନ୍ତା ଏପ୍ରିଲ ୭ ତାରିଖରୁ ଆମାଜନରେ ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ଝଟକା ।

ଆମାଜନ ଇଣ୍ଡିଆ ନିଜ ବିକ୍ରେତାଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଏହା ଶିପିଙ୍ଗ୍‌, ରେଫରାଲ ଏବଂ ବୈଷୟିକ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଏହା ବର୍ଦ୍ଧିତ ଶୁଳ୍କ ଉତ୍ପଦର ମୂଲ୍ୟ ଅନୁଯାୟୀ ନିର୍ଦ୍ଧାରିତ କରାଯିବ । କହିରଖୁଛୁ ଏହି ବର୍ଦ୍ଧିତ ଫି ହିଁ ଆମାଜନ୍ ପାଇଁ ଆୟର ଏକ ପ୍ରମୁଖ ଉତ୍ସ । ଏହାର ପ୍ଲାଟଫର୍ମରେ ବିକ୍ରି ହେଉଥିବା ପ୍ରତ୍ୟେକ ଜିନିଷ ଉପରେ ଆମାଜନ୍ ଫି ଚାର୍ଜ କରିଥାଏ । ଆମାଜନ୍ ଏହାର ଫି ସଂଶୋଧନ ମଧ୍ୟ କରିଥାଏ । ଏହି ବର୍ଦ୍ଧିତ ଶୁଳ୍କ ଉତ୍ପାଦର ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ପୋଷାକ, ବେଡସିଟ୍‌, କୁସନ୍‌ କଭର, ଡିନରଓେର୍‌ ଆଦିର ରେଫରାଲ ଫି କମ୍ପାନି କମାଇଥିବାବେଳେ ବ୍ୟବସାୟ ଓ ବୈଜ୍ଞାନିକ ଯୋଗାଣ, ଚିମ୍‌ନି, ଲାପଟପ ସ୍ଲିଭ ଏବଂ ବ୍ୟାଗ ଆଦିରେ ଏହି ଫି ବୃଦ୍ଧି କରିଛି। ୧୦୦୦ ଟଙ୍କାରୁ ଅଧିକ ହାରାହାରି ବିକ୍ରି ମୂଲ୍ୟ କ୍ଷେତ୍ରରେ କ୍ଲୋଜିଂ ଫି ୩ ଟଙ୍କା ବୃଦ୍ଧି କରାଯାଇଛି। ୱେଟ୍ ହ୍ୟାଣ୍ଡଲିଂ ଫି ୨ ଟଙ୍କା ବଢ଼ାଯାଇଛି। ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କ ବ୍ୟବସାୟକୁ ଯେଭଳି ଇ-କମର୍ସ ଜରିଆରେ ଲାଭଦାୟକ କରିପାରିବେ ଏବଂ ଜାତୀୟ ସ୍ତରର ବ୍ରାଣ୍ଡ୍‌ରେ ପରିଣତ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି କମ୍ପାନି ଏହା କରିଛି।

ଦେଶରେ ସାମଗ୍ରୀ ବିକ୍ରି କ୍ଷେତ୍ରରେ ଯେଭଳି ଆମାଜନ ଯେଭଳି ସବୁଠୁ ଅଧିକ ପସନ୍ଦଯୋଗ୍ୟ ମାର୍କେଟପ୍ଲେସ ହେବ ତାହାକୁ ଏଥିରେ ଧ୍ୟାନ ଦିଆଯାଇଛି ବୋଲି ଆମାଜନ ଇଣ୍ଡିଆର ପ୍ରବକ୍ତା କହିଛନ୍ତି। ଅନ୍ୟ ଯେଉଁସବୁ ଫି ରେ ସଂଶୋଧନ ଅଣାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ଟେକ୍ନୋଲୋଜି ଫି, ପିକ୍‌ ଆଣ୍ଡ୍‌ ପ୍ୟାକ୍‌ ଫି। ପର୍ସନାଲ କେୟାର ବର୍ଗରେ ପୁରୁଣା ଫି ୭.୫ ପ୍ରତିଶତ ଥିବାବେଳେ ନୂଆରେ ଏହାକୁ ୭.୫ ପ୍ରତିଶତରୁ ୧୧ ପ୍ରତିଶତ ମଧ୍ୟରେ ରଖାଯାଇଛି। ସେହିଭଳି ସାବୁନ ଓ କ୍ରିମ୍‌ରେ ପୂର୍ବର ଫି ୨.୫ରୁ ୮ ପ୍ରତିଶତ ଥିବାବେଳେ ନୂଆରେ ଏହାକୁ ୬ରୁ ୯.୫ ପ୍ରତିଶତରେ ରଖାଯାଇଛି। ଟାବଲେଟ୍‌ରେ ପୁରୁଣା ଫି ୬ ପ୍ରତିଶତ ଥିବାବେଳେ ନୂଆରେ ଏହାକୁ ୬ରୁ ୯ ପ୍ରତିଶତ କରାଯାଇଛି। କିନ୍ତୁ ଏଥନିକ୍ ଆପାରେଲରେ ସେଲର ଫି ଏବେ ୧୨ରୁ ୨୨.୫ ପ୍ରତିଶତ ଥିବାବେଳେ ତାହାକୁ ୭.୫ରୁ ୧୭.୫କୁ ହ୍ରାସ କରାଯାଇଛି।

 

Get real time updates directly on you device, subscribe now.