fbpx

ଜୁଲାଇ ପର୍ଯ୍ୟନ୍ତ ରହିବ ଦେଶରେ ଟିକାର ଅଭାବ: ଅଦାର ପୁନାୱାଲା

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ୁଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ନେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏକମାତ୍ର ଟିକା ଉପରେ ଭରସା କରି ବସିଛନ୍ତି ଦେଶର ଜନସାଧାରଣ ।ସମୟ ଥିଲା ଯେତେବେଳେ ଲୋକେ ଟିକା ନେବା ପାଇଁ ପଛଘୁଞ୍ଚା ଦେଉଥିଲେ । ହେଲେ ପରିସ୍ଥିତି ଜଟିଳ ହୋଇ ଯାଉଥିବା ବେଳେ ଏବେ ଲୋକେ ଅଧିକ ଟିକା ନେବାକୁ ଆଗେଇ ଆସୁଛନ୍ତି । କାରଣ ସେମାନଙ୍କ ମନରେ କରୋନା ସଂକ୍ରମିତ ହେବା ନେଇ ଭୟ ବସା ବାନ୍ଧି ସାରିଛି । କିନ୍ତୁ ଏଭଳି ସମୟରେ ଟିକାର ଘୋର ଅଭାବ ଦେଖିବାକୁ ମିଳିଛି । କୋଟି କୋଟି ଲୋକ ଟିକାକରଣ ପାଇଁ ପଞ୍ଜୀକରଣ କରୁଥିବା ବେଳେ ଟିକା ଉପଲବ୍ଧ ନାହିଁ । ଏନେଇ ଏବେ ଅନେକ ସ୍ଥାନରୁ ଅଭିଯୋଗ ଆସିବାରେ ଲାଗିଛି । ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ଜୁଲାଇ ପର୍ଯ୍ୟନ୍ତ ଟିକାର ଅଭାବ ଲାଗିରହିବ । କାରଣ ଟିକା ପ୍ରସ୍ତୁତ ହେବା ନେଇ ସମୟ ଲାଗୁଛି ।

ଗୋଟେପଟେ ଦେଶରେ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । କିନ୍ତୁ ଟିକାର ଅଭାବ ଏହାକୁ ଫିକା ପକାଇଦେଇଛି । ଦ୍ରୁତ ଗତିରେ ସଂକ୍ରମଣ ବଢ଼ୁ୍ଥିବାରୁ ଲୋକେ ଟିକା ନେବାକୁ ତତ୍ପର ଥିବା ବେଳେ ଟିକାର ଏପରି ଘୋର ଅଭାବ ବଡ ସମସ୍ୟା ଦିଗକୁ ଇସାରା କରୁଛି । ଏହା ଭିତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ଭ୍ୟାକସିନ୍ କୋଭିସିଲଡ୍ ତିଆରି କରୁଥିବା କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଅଦାର ପୁନାୱାଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶରେ ଜୁଲାଇ ପର୍ଯ୍ୟନ୍ତ ଟିକାର ଅଭାବ ରହିବ । ତାଙ୍କ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ୬୦-୭୦ ମିଲିୟନ୍ ଡୋଜ୍ ରୁ ୧୦୦ ମିଲିୟନ୍ ଡୋଜ୍ କୁ ବୃଦ୍ଧି କରିବାକୁ ଜୁଲାଇ ପର୍ଯ୍ୟନ୍ତ ସମୟ ଲାଗିଯିବ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାନୁଆରୀ ମାସରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯିବ ବୋଲି ଆଶା ନଥିଲା । ସେ ଭାବିଥିଲେ ଯେ କରୋନାର ପ୍ରଥମ ଲହରକୁ ଦେଶ ହରାଇବାରେ ସଫଳ ହୋଇଛି । କିନ୍ତୁ ଦ୍ୱିତୀୟ ଲହର ଏତେ ତୀବ୍ର ହୋଇଯିବ ବୋଲି ଆଶା ନଥିଲା ବୋଲି ସେ ମତରେ କହିଛନ୍ତି । ବର୍ତ୍ତମାନ ଅଧିକରୁ ଅଧିକ ଟିକା ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.