fbpx
BJD SKY
BJD SKY

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସର୍ତ୍ତ ସହ ମିଳିଲା ଅନୁମତି

BJD

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିବାବେଳେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ପୂର୍ବରୁ ଏନଏମଏର ଏନଓସି ଅନୁଯାୟୀ, ନିଷିଦ୍ଧାଞ୍ଚଳରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ଶୌଚାଳୟ ନିର୍ମାଣ, କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲ୍ଟର ପ୍ୟାଭିଲିୟନ ଓ ଇଲେକଟ୍ରିକାଲ ରୁମ୍ ନିର୍ମାଣ କରାଯାଇପାରିବ । ସେହିପରି ପାଦଚଲା ଅଞ୍ଚଳ ନିର୍ମାଣକୁ ମଧ୍ୟ ଏନଏମଏ ଅନୁମତି ପ୍ରଦାନ କରିଛି । ତେବେ ସେଲ୍ଟର ପ୍ୟାଭିଲିୟନର ଉଚ୍ଚତା କମ୍ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସୂଚନାକେନ୍ଦ୍ର ଓ ଦାନବାକ୍ସ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଏଟିଏମ୍ ନିର୍ମାଣକୁ ଅନୁମତି ଦିଆଯାଇଥିବା ବେଳେ ଏହାସବୁ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପୋଲିସ ସେବାକେନ୍ଦ୍ର ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅଭ୍ୟର୍ଥନା କେନ୍ଦ୍ର ୨ ମହଲା ବିଶିଷ୍ଟ ହେଉଥିଲେ ମଧ୍ୟ ଏହାର ଉଚ୍ଚତା ୭.୫୦ ମିଟର ରହିବ ବୋଲି ଏନଏମଏ ସର୍ତ୍ତ ରଖିଛି ।

ସେହିପରି ଏହାକୁ ଶ୍ରୀମନ୍ଦିର ଠାରୁ ୧୦୧.୫୦ ମିଟର ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏସବୁ କାମ ପାଇଁ ଆଉ ଥରେ ଏନଓସି ନିମନ୍ତେ ଆବେଦନ କରିବାକୁ ପଡ଼ିବ । ତେବେ ବଡ଼ଛତା ମଠ ଓ ଛାଉଣୀ ମଠରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ସେହିପରି ଇନଫର୍ମେସନ, ଡୋନେସନ ସେଲ୍, ଫାଷ୍ଟଏଡ୍ ସେଣ୍ଟରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ଏଗୁଡ଼ିକୁ ରେଗୁଲେଟେଡ୍ ଅଞ୍ଚଳରେ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ସରକାର ଏନଏମଏ ଠାରୁ ଅନୁମତି ଆଣି ଏହି କାର୍ଯ୍ୟ ଚାଲୁ ରଖିଥିବା କହୁଥିବାବେଳେ ବିରୋଧୀ କିନ୍ତୁ ଏନେଇ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏନେଇ ମାମଲା ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଛି । ଏସବୁ ଭିତରେ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରଖିଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ବହୁ ସମୟରେ ପୁରୀ ଯାଇ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି । ତେବେ ଏନଏମଏର ଏହି ସର୍ତ୍ତମୂଳକ ଅନୁମତି ସରକାରଙ୍କ ପାଇଁ ପ୍ରକଳ୍ପ ଶେଷ କରିବାରେ ବେଶ୍ ସହାୟକ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.