fbpx

ସରକାରୀ ସ୍କୁଲରେ ଲାଗୁ ହେବ ନୂଆ ନିୟମ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା, ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରଙ୍କ ପାଇଁ ଏକ ନୂଆ ଖବର ଆସିଛି । ଆସନ୍ତା ଶିକ୍ଷାବର୍ଷ ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ସରକାରୀ ସ୍କୁଲରେ ଏହି ନୂଆ ନିୟମ ଲାଗୁ ହେବ । ଷଷ୍ଠରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବାକୁ ଯାଉଛି ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା । ରାଜ୍ୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏସସିଇଆରଟି) ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି ।

ଆଗାମୀ ଦିନରେ ଅନ୍ୟ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ପିଲାଙ୍କର ଖାତା ଦେଖାହେବ । ଏଥିସହିତ ସମସ୍ତ ପିଲାଙ୍କର ରେଜଲ୍ଟ ପ୍ରକାଶ କରିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ଫଳରେ ପିଲାଙ୍କର ଦକ୍ଷତା ଜଣାପଡ଼ିବ । ପୂର୍ବରୁ କିଛି ସ୍କୁଲରେ ମାର୍କ ପ୍ରଦାନରେ ପ୍ରୀୟାପ୍ରୀତି ତୋଷଣ ହେଉଥିବା ଅଭିଯୋଗ ଆସୁଥିଲା । ଏବେ ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ।

ସର୍ବଭାରତୀୟ ସ୍ତରରେ ସିବିଏସଇ ଓ ରାଜ୍ୟର ଶିକ୍ଷାବିକାଶ ଅଧିନରେ ପରିଚାଳିତ ହେଉଥିବା ବିଦ୍ୟାଳୟଗୁଡ଼ିକରେ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ରହିଛି । ମାତ୍ର ରାଜ୍ୟର ୬ଷ୍ଠରୁ ୮ମ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ନାହିଁ । ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଏକକ ରହିଥିବା ବେଳେ ଷାଣ୍ମାସିକ ପରୀକ୍ଷାରେ ଏହା ନାହିଁ । ଶିକ୍ଷକମାନେ ନିଜେ ପ୍ରଶ୍ନପତ୍ର ତିଆରି କରିବା ସହିତ ଖାତା ମଧ୍ୟ ଦେଖୁଛନ୍ତି । ଏହାଦ୍ୱାରା ସ୍କୁଲଗୁଡ଼ିକର ପାଠପଢ଼ା ଓ ପିଲାଙ୍କ ଦକ୍ଷତାର ଚିତ୍ର ସ୍ପଷ୍ଟ ହୋଇପାରୁନାହିଁ । ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ପିଲାଙ୍କର ଦକ୍ଷତା ବୃଦ୍ଧି ପାଇବା ସହ ପାସହାର ବୃଦ୍ଧି ପାଇବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.