fbpx

୧୦ ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ: ସୃଷ୍ଟି ହେବ ୫୧୭୦ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୦ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୫୧୭୦ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ ଓ ଆର୍ôଥକ ଦକ୍ଷତା ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଆଲୁମିନିଅମ୍ ଓ ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍, ଅଣପାରମ୍ପରିକ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍, ବୈଦୁତିକ ପଦାର୍ଥ ଉତ୍ପାଦନ, ଭିତିଭୂମି, ପର୍ଯ୍ୟଟନ, ବୈଷୟିକ ବୟନ, ରସାୟନ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ ।

ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ । ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ସମୟାନୁବନ୍ଧିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ଓ ଜଳର ସଠିକ୍ ଅନୁଶୀଳନ କରି ତଦନୁଯାୟୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଶ୍ରମ ଓ ଇ.ଏସ୍.ଆଇ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ବୈଦୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.