(ଭିଡିଓ) ମୃତ୍ୟୁର ରୂପ ବଡ଼ ଭୟଙ୍କର: ଟ୍ରେନକୁ ପେଲିଦେଲା ପବନ, ଅକାଳରେ ଚାଲିଗଲା ୬ ଗରିବ ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ପରେ ମୃତକ ଓ ଆହତଙ୍କ ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହିତ ଏହି ଘଟଣା ପଛର ରହସ୍ୟ ଉନ୍ମୋଚନ ପାଇଁ ରେଳ ବିଭାଗ ପକ୍ଷରୁ ସିବିଆଇ ତଦନ୍ତ ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ଖବ । ଆଜି ଟ୍ରେନ ଦୁର୍ଘଟଣାରେ ପୁଣି ୬ ଜଣଙ୍କ ଜୀବନ ଚାଲିଯାଇଛି । ଯାଜପୁରରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିବା ଅବସ୍ଥାରେ ଟ୍ରେନରେ କଟି ଏହି ବ୍ୟକ୍ତିମାନେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବର୍ଷା, ପବନ ଯୋଗୁଁ ଯାଜପୁର ରୋଡ଼ ରେଳ ଷ୍ଟେସନର ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଏଭଳି ଅଘଟଣ ଘଟିଥିଲା । ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମାଲାଗାଡ଼ି ଟ୍ରେନଟି ସେଫଟି ଲାଇନରେ ଛିଡ଼ା ହୋଇଥିଲା । ତେବେ ବର୍ଷା, ପବନକୁ ଡରି ରେଳ ଧାରଣାରେ କାମ କରୁଥିବା କିଛି ଶ୍ରମିକ ଟ୍ରେନ ତଳକୁ ଚାଲିଯାଇଥିଲେ । ମାତ୍ର ବିଧିର ବିଧାନ ଥିଲା ଅଲଗା । ସେମାନଙ୍କର ଭାଗ୍ୟରେ କେବଳ ମୃତ୍ୟୁ ହିଁ ଲେଖା ହୋଇଥିଲା । ଶ୍ରମିକମାନେ ବିଶ୍ରାମ ନେଉଥିବା ବେଳେ ମାଲଗାଡ଼ିଟି ପବନ କାରଣରୁ ଆଗକୁ ପେଲି ହୋଇ ଗଡ଼ିଯାଇଥିଲା । ଫଳରେ ବିଶ୍ରାମ ନେଉଥିବା ୬ ଜଣ ଶ୍ରମିକ ଚାପିହୋଇ ମୃତ୍ୟୁବରଣ କରିଥିଲେ ।