fbpx

ସ୍ମୃତି ଇରାନୀ ହେଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ, ସିନ୍ଧିଆଙ୍କୁ ମିଳିଲା ଷ୍ଟିଲ ମନ୍ତ୍ରଣାଳୟ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ମୁଖତାର ଆବାସ ନକଭୀ ଓ ଷ୍ଟିଲ ମନ୍ତ୍ରୀ ପଦରୁ ଆରସିପି ସିଂହ ଇସ୍ତଫା ଦେଇଥିଲେ । ତେବେ ନକଭୀଙ୍କ ସ୍ଥାନରେ କେନ୍ଦ୍ର ମହିଳା ଓ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ସେହିପରି ଆରସିପିଙ୍କ ସ୍ଥାନରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଷ୍ଟିଲ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି ।

ଇରାନୀ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କୁ ଆମେଠିରୁ ହରାଇ ଲୋକସଭା ସାଂସଦ ହୋଇଥିଲେ । ସେହିପରି ସିନ୍ଧିଆ ମଧ୍ୟପ୍ରଦେଶରୁ ବିଜେପି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ତେବେ ଷ୍ଟିଲ ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ ପରେ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଦେଶବାସୀଙ୍କ ଆକାଂକ୍ଷାକୁ ପୂରଣ ପାଇଁ ସେ ସର୍ବଦା ସଂଘର୍ଷ କରିବେ ବୋଲି ଟ୍ୱିଟ୍ କରିଛନ୍ତି ।

ରାଜ୍ୟସଭାରେ ଉଭୟ ନକଭୀ ଓ ଆରସିପିଙ୍କ କାର୍ଯ୍ୟକାଳ ଆସନ୍ତା ଗୁରୁବାର ସମାପ୍ତ ହେବାର ଥିଲା । ତା’ପୂର୍ବରୁ ଦୁଇ କେନ୍ଦ୍ର ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ ନକଭୀଙ୍କ ସ୍ଥାନରେ ଇରାନୀଙ୍କୁ ଓ ଆରସିପିଙ୍କ ସ୍ଥାନରେ ସିନ୍ଧିଆଙ୍କୁ ଆଜି ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.