fbpx

କିଛି ଭୟଙ୍କର ଘଟଣା ହେବାକୁ ଯାଉଛି, ଜଲଦି ଛାଡ଼ି ପଳାଅ… ଭୟରେ ଆମେରିକା ସମେତ ଅନେକ ଦେଶ!

ନୂଆଦିଲ୍ଲୀ: ହିଜବୁଲ୍ଲାହ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାମଧ୍ୟରେ ଆମେରିକା ସମେତ ଫ୍ରାନ୍ସ, ବ୍ରିଟେନ ଏବଂ କାନାଡ଼ା ସରକାର ନିଜ ଦେଶର ନାଗରିକ ମାନଙ୍କୁ ସତର୍କ କରାଇ ଦେଇଛନ୍ତି । ଲେବାନନ୍ ରେ ରହୁଥିବା ନିଜ ଦେଶର ନାଗରିକ ମାନଙ୍କୁ ଯଥାଶୀଘ୍ର ଦେଶ ଛାଡ଼ିବା ପାଇଁ ସତର୍କ କରାଇଛନ୍ତି ଏହିସବୁ ଦେଶ । ବିମାନ ସେବା ଉପଲବ୍ଧ ଥିବା ସମୟରେ ଲେବାନନ୍ ଖାଲି କରି ଚାଲିଯିବା ପାଇଁ ନାଗରିକମାନଙ୍କୁ କୁହାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଏଠାକାର ସୁରକ୍ଷା ସ୍ଥିତି ଖୁବ ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଲେବାନନ୍ ଉପରେ ହିଜବୁଲ୍ଲାହ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆମେରିକା ସମେତ ଅନେକ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ଶନିବାର ରାତିରେ ଆମେରିକା ବିଦେଶ ବିଭାଗ ଲେବନାନରେ ରହୁଥିବା ନାଗରିକ ମାନଙ୍କୁ ଯଥାଶୀଘ୍ର ଲେବନାନ୍ ଛାଡ଼ିବା ପାଇଁ ଆହ୍ୱାନ ଦେଇଛି । ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ନାଗରିକଙ୍କୁ ସେଠାରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ଏହାସହିତ ଫ୍ରାନ୍ସ, ବ୍ରିଟେନ୍ ଏବଂ କାନାଡ଼ା ସମେତ ଆହୁରି ମଧ୍ୟ ଅନେକ ଦେଶ ନିଜ ନାଗରିକ ମାନଙ୍କୁ ଲେବନାନ୍ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଯୁଦ୍ଧ କ୍ୟାବିନେଟରେ ଘୋଷଣା କରିଥିଲେ ଯେ, ହିଜବୁଲ୍ଲାହରୁ ସିଧାସଳଖ ଭାବରେ ଲଢେଇ କରିବାର ସମୟ ଆସିଯାଇଛି । ଲେବନାନ ସହ ମିଶିଥିବା ଉତ୍ତର ଅଞ୍ଚଳର ଲୋକମାନଙ୍କୁ ପୁନଃବସତି ଏବଂ ହିଜବୁଲ୍ଲାହ ପରେ ଆକ୍ରମଣ ବୃଦ୍ଧି କରିବା ପାଇଁ ସେ ଘୋଷଣା କରିଥିଲେ । ପେଜର ଏବଂ ୱାକି-ଟକି ଆକ୍ରମଣରେ ଅନେକ ହିଜବୁଲ୍ଲାହ କମାଣ୍ଡରଙ୍କ ମୃତ୍ୟୁ କାରଣ ପାଲଟିଛି ଇସ୍ରାଏଲ । ଏହି ଆକ୍ରମଣରେ ୪,୦୦୦ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି । ଶୁକ୍ରବାର ବେରୁତ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ୩୭ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ପକ୍ଷରେ ହିଜବୁଲ୍ଲାହ ମଧ୍ୟ ଇସ୍ରାଏଲ ଉପରେ କାଉଣ୍ଟର ଆଟାକ ଜାରି ରଖିଛି । ରିପୋର୍ଟ ଅନୁସାରେ, ରବିବାର ହିଜବୁଲ୍ଲାହ ଉତ୍ତର ଇସ୍ରାଏଲରେ ୧୦୦ରୁ ଅଧିକ ରକେଟ ଲଞ୍ଚ୍ କରିଛି । ତେବେ ଏହି ଆକ୍ରମଣରେ କୌଣସି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଅଧିକାଂଶ ଆକ୍ରମଣ ଶିନ୍ ବେଟ ଏବଂ ଇସ୍ରାଏଲ ବାୟୁ ରକ୍ଷା ପ୍ରଣାଳୀ ଦ୍ୱାରା ଆକାଶରେ ହିଁ ନଷ୍ଟ କରି ଦିଆଯାଇଛି । ଅନ୍ୟାନ୍ୟ ରକେଟ ଶୂନଶାନ ସ୍ଥାନରେ ପଡ଼ିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.