fbpx

T20 WC 2022: ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟତବାଣୀ, ସେମି ଫାଇନାଲରେ ପହଞ୍ଚିବେ ଏହି ୪ ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ଅବିସ୍ମରଣୀୟ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ଅବିଶ୍ଵସନୀୟ ଇନିଂସ ବଳରେ ଭାରତ ରୋମାଞ୍ଚକର ମ୍ୟାଚକୁ ଜିତିବାରେ ସଫଳ ହୋଇଛି। ଏହି କ୍ରମରେ ଚଳିତ ଟି-୨୦ ବିଶ୍ଵ କପରେ କେଉଁ ଚାରୋଟି ଦଳ ସେମି ଫାଇନାଲରେ ପହଞ୍ଚିବେ ତାକୁ ନେଇ ଭବିଷ୍ୟତବାଣୀ କରିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି।

ଗାଙ୍ଗୁଲି କହିଛନ୍ତି, ଅତୀତ ବିଷୟରେ ଅଧିକ ଚିନ୍ତା ନକରି ବର୍ତ୍ତମାନର ଫର୍ମ ଉପରେ ଜୋର ଦେବା ଉଚିତ୍। ପୂର୍ବ ମ୍ୟାଚରେ କଣ ଘଟିଥିଲା, ଏହା ଉପରେ ଚିନ୍ତା ନକରିବା ଉଚିତ୍। ଭାରତ ଟୁର୍ଣ୍ଣାମେଣ୍ଟ ଜିତିବାରେ ପ୍ରବଳ ଦାବିଦାରଙ୍କ ମଧ୍ୟରୁ ଜଣେ। କାରଣ ଦଳରେ ବଡ ହିଟର ରହିଛନ୍ତି। ଦଳର ସନ୍ତୁଳନ ଭଲ ରହିଛି। ସେ କହିଛନ୍ତି ମୋ ହିସାବରେ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସେମି ଫାଇନାଲରେ ପ୍ରବେଶ କରି ପାରନ୍ତି। ଦକ୍ଷିଣ ଆଫ୍ରିକା ନିକଟରେ ଭଲ ବୋଲର ରହିଛନ୍ତି, ଯେଉଁମାନେ ଅଷ୍ଟ୍ରେଲିଆ ମାଟିରେ ପରିସ୍ଥିତିର ଫାଇଦା ଉଠାଇ ପାରିବେ। ଆଶ୍ଚର୍ଯ୍ୟର କଥା ଗାଙ୍ଗୁଲି ଗତ ବିଶ୍ଵ କପର ଉପବିଜେତା ନ୍ୟୁଜିଲାଣ୍ଡକୁ ଏହି ତାଲିକାରେ ରଖି ନାହାନ୍ତି। ପୁଣି ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲାରେ କଙ୍ଗାରୁ ଦଳକୁ ୮୯ ରନରେ ହରାଇଥିଲା।

ଅଦ୍ୟାବଧି ବିଶ୍ଵ କପର ସୁପର ୧୨ରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ହାତରୁ ହାରି ସାରିଛି। ଇଂଲଣ୍ଡ ଆଫଗାନିସ୍ତାନକୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇଛି। ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରିଛି। ସେହିପରି ଦକ୍ଷିଣ ଆଫ୍ରିକା ଆଜି ନିଜର ପ୍ରଥମ ମୁକାବିଲାରେ ଜିମ୍ଵାଓ୍ଵେକୁ ଭେଟୁଛି।

Get real time updates directly on you device, subscribe now.