ଆପଣଙ୍କ ରୋଷେଇ ଘରେ ଥିବା ଛୋଟ ଲଙ୍କା ଆପଣଙ୍କ ସ୍ୱାସ୍ଥ୍ୟରେ ବଡ଼ ପରିବର୍ତ୍ତନ ଆଣିପାରେ। ଅନେକ ଲୋକ ମସଲାଦାର ଖାଦ୍ୟକୁ ଏଡ଼ାଇ ଦିଅନ୍ତି, କିନ୍ତୁ ସାମ୍ପ୍ରତିକ ଗବେଷଣା ଦର୍ଶାଇଛି ଯେ ଲଙ୍କା ସହ ଖାଦ୍ୟ ଖାଉଥିବା ଲୋକମାନେ କମ୍ ଅସୁସ୍ଥ ହୁଅନ୍ତି ଏବଂ ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ହୁଏ। ଆସନ୍ତୁ ଲଙ୍କାର ସ୍ୱାସ୍ଥ୍ୟ ଲାଭ (Chilli Health Benefits) ବିଷୟରେ ବିସ୍ତୃତ ଭାବେ ଜାଣିବା।
ମୃତ୍ୟୁ ଆଶଙ୍କା ୨୫% କମେ
୨୦୨୦ରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ଲଙ୍କା ସହିତ ମସଲାଦାର ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ, ହୃଦ୍ରୋଗ ଏବଂ ଡାଇବେଟିସ୍ର ଆଶଙ୍କା କମିପାରେ। ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ ପ୍ରିଭେଣ୍ଟିଭ୍ କାର୍ଡିଓଲୋଜିରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ନିୟମିତ ଲଙ୍କା ଖାଆନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ଅଳ୍ପ ବା ବିଲକୁଲ ଲଙ୍କା ଖାଦ୍ୟ ନ ଖାଉଥିବା ଲୋକଙ୍କ ତୁଳନାରେ ୨୫% କମ୍ ଥାଏ।
ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣ
ଅଧ୍ୟୟନର ବରିଷ୍ଠ ଲେଖକ ତଥା କାର୍ଡିଓଲୋଜିଷ୍ଟ ଡକ୍ଟର ବୋ ଜୁ କହିଛନ୍ତି ଯେ ଏହି ଲାଭର ପଛରେ ‘କ୍ୟାପସାଇସିନ୍’ ନାମକ ଏକ ବିଶେଷ ଯୌଗିକ ଦାୟୀ। କ୍ୟାପସାଇସିନ୍ ହେଉଛି ଲଙ୍କାର ମୂଳ କାରଣ। ଏହା ଶରୀରରେ ଥିବା TRPV1 ନାମକ ରିସେପ୍ଟରଗୁଡ଼ିକୁ ସକ୍ରିୟ କରେ, ଯାହା ଏଡ୍ରେନାଲାଇନ୍ ହରମୋନ୍ ଉତ୍ପାଦନକୁ ବୃଦ୍ଧି କରେ। ଏହା ଶରୀରରେ ଚର୍ବି ଜାଳିବା ଏବଂ ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣରେ ସାହାଯ୍ୟ କରେ।
ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି
ଅନ୍ୟ କେତେକ ଗବେଷଣା ଦର୍ଶାଇଛି ଯେ TRPV1 ରିସେପ୍ଟର ଅତ୍ୟଧିକ ସକ୍ରିୟ ରୋଗ ପ୍ରତିରୋଧକ କୋଷଗୁଡ଼ିକୁ ନିୟନ୍ତ୍ରଣ କରି ଶରୀରରେ ପ୍ରଦାହ (Inflammation) କମାଇଥାଏ, ଯାହା ହୃଦ୍ରୋଗ ଭଳି ଅନେକ ଦୀର୍ଘସ୍ଥାୟୀ ରୋଗର ଏକ ପ୍ରମୁଖ କାରଣ। ଏହାସହ, ଲଙ୍କା ଯୁକ୍ତ ଖାଦ୍ୟ ଆମର ଆନ୍ତ ସ୍ୱାସ୍ଥ୍ୟ (Gut Health) ପାଇଁ ମଧ୍ୟ ଲାଭଦାୟକ। ଏହା ଆନ୍ତରେ ଭଲ ବ୍ୟାକ୍ଟେରିଆର ବୃଦ୍ଧିକୁ ଉତ୍ସାହିତ କରେ, ଯାହା ପାଚନ ତନ୍ତ୍ରକୁ ମଜବୁତ କରେ। ହାର୍ଭାର୍ଡ ମେଡିକାଲ ସ୍କୁଲର ମେଡିସିନ୍ ସହକାରୀ ପ୍ରଫେସର ଡକ୍ଟର ଲଙ୍ଗ ଗୁୟେନ କହିଛନ୍ତି, “ତଥ୍ୟ ଦର୍ଶାଇଛି ଯେ ମସଲାଦାର ଖାଦ୍ୟ ମେଟାବୋଲିଜିମ୍କୁ ଉନ୍ନତ କରେ, ଯାହା ପେଟ ଭରପୂର ଅନୁଭବ କରାଇ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ।”