fbpx

ଆସନ୍ତା ଜୁନରେ ମିଳିବ ସ୍ଫୁଟନିକ୍-ଭି ଭ୍ୟାକ୍ସିନ୍: ଡୋଜ୍ ପିଛା ୧୨୫୦ ଟଙ୍କା

ହାଇଦ୍ରାବାଦ, ୧୮ା୫: ଦେଶରେ କୋ-ୱିନ୍ ପୋର୍ଟାଲ ମାଧ୍ୟମରେ ଚାଲିଥିବା କୋଭିଡ୍-୧୯ ଟିକାକରଣରେ ରୁଷିଆ ନିର୍ମିତ ଭ୍ୟାକ୍ସିନ ‘ସ୍ଫୁଟନିକ୍-ଭି’କୁ ସାମିଲ କରାଯିବ । ରୁଷିଆର କୋଭିଡ-୧୯ ଟିକା ପାଇଁ ଆପୋଲୋ ହସ୍ପିଟାଲ ସହିତ ବୁଝାମଣା ହୋଇଛି ବୋଲି ଡା. ରେଡ୍ଡି ଲାବୋରେଟୋରି ପକ୍ଷରୁ ଘୋଷଣା କରାଯାଇଛି । ତେବେ ସରକାରୀ ଚାର୍ଜକୁ ମିଶାଇ ସ୍ଫୁଟନିକ ଟିକା ଡୋଜ୍ ପିଛା ୧୨୫୦ ଟଙ୍କାରେ ଉପଲବ୍ଧ ହେବ । ଟିକାର ମୂଲ୍ୟ ଆପୋଲୋ ହସ୍ପିଟାଲ ପକ୍ଷରୁ ସ୍ଥିର କରାଯାଇଛି ।

ତେବେ ୫ ପ୍ରତିଶତ ଜିଏସଟିକୁ ମିଶାଇ ସ୍ଫୁଟନିକ ଟିକା ୯୯୫ ଟଙ୍କାରେ ମିଳିବ ବୋଲି ଗତ ଶୁକ୍ରବାର ଲାବୋରେଟୋରି ପକ୍ଷରୁ ଘୋଷଣା କରାଯାଇଥିଲା । ଟିକା ଜନସାଧାରଣଙ୍କ ନିକଟରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବ । ଆସନ୍ତା ଜୁନ ମାସର ମଧ୍ୟଭାଗରେ ଏହା ଉପଲବ୍ଧ ହେବ ବୋଲି ଲାବୋରେଟୋରି ପକ୍ଷରୁ କୁହାଯାଇଛି । ତେବେ ଆଜି ଲାବୋରେଟୋରିର କର୍ମଚାରୀମାନଙ୍କୁ ବିଶାଖାପାଟଣାରେ ପ୍ରଥମେ ଟିକା ଦିଆଯାଇଛି । ପରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଅହମ୍ମଦାବାଦ, ଚେନ୍ନାଇ, କୋଲକତା ଓ ପୁଣେ ପରି ସହରରେ ଟିକାକରଣକୁ ବର୍ଦ୍ଧିତ କରାଯିବ । ତେବେ ଦେଶର ୬୦ଟି ସ୍ଥାନରେ ଟିକାକରଣ କରାଯିବ ବୋଲି ଆପୋଲୋ ହସ୍ପିଟାଲସ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡର ସଭାପତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.