fbpx

ଦିନିକିଆ ବିଶ୍ୱକପରେ ସ୍ଥାନ ପାଇଲା ଶ୍ରୀଲଙ୍କା: ଟିମ ଇଣ୍ଡିଆ ସହ ଏହି ଦିନ ହେବ ମୁହାଁମୁହିଁ

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ମିଳିସାରିଛି ପ୍ରଥମ କ୍ୱାଲିଫାୟାର ଦଳ । ୨୦୧୧ ବିଶ୍ୱକପର ରନର୍ସ ଅପ୍ ତଥା ଏସିଆ କପ୍ ଚମ୍ପିଆନ ଶ୍ରୀଲଙ୍କା କ୍ୱାଲିଫାୟାର ରାଉଣ୍ଡରେ ଏହି ସଫଳତା ହାସଲ କରିଛି । କ୍ୱାଲିଫାୟାର ରାଉଣ୍ଡରେ ପ୍ରଥମ ଦଳ ଭାବରେ ବିଶ୍ୱକପରେ ସ୍ଥାନ ଦଖଲ କରିଛି ଶ୍ରୀଲଙ୍କା । ଆଜି ଜିମ୍ବାୱେକୁ ୯ ୱିକେଟରେ ମାତ୍ ଦେଇ ଶ୍ରୀଲଙ୍କା ବିଶ୍ୱକପରେ ଏଣ୍ଟ୍ରି କରିଛି । ସୁପର ସିକ୍ସ ମୁକାବିଲାରେ ସିଂହଳି ଦଳ ଅପରାଜିତ ଭାବରେ ବିଶ୍ୱକପରେ ଖେଳିବା ପାଇଁ ମାନ୍ୟତା ପାଇଛି ।

ଜିମ୍ବାୱେରେ ଆୟୋଜିତ ହୋଇଥିବା କ୍ୱାଲିଫାୟାର ରାଉଣ୍ଡରେ ଶ୍ରୀଲଙ୍କା ଅଜୟ ରହି ବିଶ୍ୱକପର ମେନ ଡ୍ର ପାଇଁ କ୍ୱାଲିଫାଏ କରିନେଇଛି । ସୁପର ସିକ୍ସରେ ୪ ମ୍ୟାଚରେ ବିଜୟଲାଭ କରି ୮ ପଏଣ୍ଟ ସହ ବିଶ୍ୱକପ ପାଇଁ ସ୍ଥାନ ପକ୍କା କରିଛି । ତେବେ ଜିମ୍ବାୱେ ୪ଟି ମ୍ୟାଚରୁ ୬ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରି ଏକ ବଡ ବିଜୟ ସହ ଏହି ଉପଲବ୍ଧି ହାସଲ କରିଛି ସିଂହଳି ଦଳ । ଜିମ୍ବାୱେ ତରଫରୁ ଶ୍ରୀଲଙ୍କାକୁ ୧୬୬ ରନର ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ୧୦୧ ବଲ ବାକି ଥାଇ ୯ ୱିକେଟରେ ବିଜୟ ମୁକୁଟ ପିନ୍ଧିଛି ଶନାକା ସେନା । ଏହାସହ ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ମଧ୍ୟ ଦଳ ସୁଯୋଗ ପାଇଛି । ତେବେ ନଭେମ୍ବର ୨ ତାରିଖରେ ବିଶ୍ୱକପରେ ଟିମ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୨.୨ ଓଭରରେ ୧୬୫ ରନ କରିବାରେ ସକ୍ଷମ ହୋଇଥିଲା ଜିମ୍ବାୱେ । ତେବେ ଗୋଟିଏ ୱିକେଟ ବିନିମୟରେ ଶ୍ରୀଲଙ୍କା ଏହାକୁ ହାସଲ କରି ନେଇଛି । ପଥୁମ ନିସଙ୍କାଙ୍କ ଦମଦାର ଶତକ(୧୦୧) ବଳରେ ମାତ୍ର ୩୩.୧ ଓଭରରେ ଟାର୍ଗେଟକୁ ଛୁଇଁବା ସହ ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିଛି ଶ୍ରୀଲଙ୍କା । ତେବେ ଜିମ୍ବାୱେ ପକ୍ଷରୁ ସିନ୍ ୱିଲିୟମସଙ୍କ ସର୍ବାଧିକ ୫୬ ରନର ପାଳି ଏବଂ ସିକନ୍ଦର ରଜାଙ୍କ ଦମଦାର ପାଳି ଯୋଗୁଁ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଥିଲା ଜିମ୍ବାୱେ । ଶ୍ରୀଲଙ୍କାର ମହୀଷ ଥୀକ୍ଷଣା ୪ଟି ୱିକେଟ ହାସଲ କରିଥିବା ବେଳେ ଦିଲସାନ ମଧୁରଙ୍କା ୩ଟି ସଫଳତା ପାଇଥିଲେ ।

Get real time updates directly on you device, subscribe now.