fbpx
BSKY
BJD SHG SKY
BJD YOUTH SKY

ସୁନାର ଲଙ୍କାରେ ଆର୍ଥିକ ସଂକଟ: ନିଜକୁ ଦେବାଳିଆ ଘୋଷଣା କଲେ ଶ୍ରୀଲଙ୍କା ସରକାର

କଲମ୍ବୋ: ଦିନକୁ ଦିନ ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଂକଟ । ଋଣ ବୋଝରେ ସାରା ଦେଶ ଉବୁଟୁବୁ । ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ସୃଷ୍ଟି ହୋଇଛି ହାହାକାର ସ୍ଥିତି । ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ସୁନାର ଲଙ୍କା ଏକରକମ ଛାରକାର ଅବସ୍ଥାକୁ ଆସିଯାଇଛି । ସାରା ଦେଶରେ ହାହାକାର ପରିସ୍ଥିତି ଦେଶ ଉପରେ ଲଦିହୋଇ ଯାଇଛି ବିଦେଶୀ ଋଣବୋଝ । ଲୋକେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ଏପରିକି ଆର୍ଥିକ ସଂକଟ ଯୋଗୁଁ ବହୁ ଲୋକ ଘରର ଆସବାବପତ୍ର ଓ ସୁନାଗହଣା ବିକିବାକୁ ବାଧ୍ୟ ହେଉଛନ୍ତି ।

ଶ୍ରୀଲଙ୍କା ସରକାର ଅନ୍ୟ ଦେଶମାନଙ୍କରୁ ୫୧୦୦ କୋଟି ଡଲାର ଋଣ କରିଛନ୍ତି । ଏବେ ଏହି ଋଣ ଶୁଝିବା ବାଟରେ ଶ୍ରୀଲଙ୍କା ସରକାର ନାହାନ୍ତି କି ସେମାନଙ୍କ ପାଖରେ ଆବଶ୍ୟକ ସମ୍ବଳ ମଧ୍ୟ ନାହିଁ । ତେଣୁ ବିଦେଶୀ ଋଣ ସୁଝି ପାରିବେନି କହି ନିଜ ଦେଶକୁ ଦେବାଳିଆ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ପାଇଁ ଚୀନ ସମେତ ଅନ୍ୟ ରାଷ୍ଟ୍ରରୁ ଶ୍ରୀଲଙ୍କା ସରକାର ଆଣିଛନ୍ତି ୫୧୦୦ କୋଟି ଡଲାରର ଋଣ । ବିଦେଶରୁ ଋଣ ଆଣିଥିବା ଯୋଗୁଁ ଦେଶର ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡରୁ ୱେଲଆଉଟ୍‌ ପ୍ୟାକେଜ୍‌ ମିଳିବା ସମ୍ଭବପର ହୋଇପାରୁନାହିଁ । ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଅନ୍ୟଦେଶର ସରକାରଙ୍କୁ ଆମେ ଋଣ ସୁଝିପାରିବୁ ନାହିଁ ବୋଲି ଅବଗତ କରାଇଛନ୍ତି । ଯେଉଁ ଋଣ ବାକି ରହିଯାଇଛି ତାହା ଶୁଝିବାକୁ ଅପେକ୍ଷା କରିବାକୁ ପଡ଼ିବ କିମ୍ବା ଋଣ ବାବଦରେ ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଆର୍ଥିକ ସହାୟତା ପାଇଁ ଆଇଏମ୍‌ଏଫ୍‌ ସହ ଆଲୋଚନା ଆରମ୍ଭ ହୋଇଛି । ସେହିପରି ଅନ୍ୟ ଦେଶର ସହାୟତା ପାଇଁ ମଧ୍ୟ ଆଲୋଚନା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଦେଶରେ ଯାହା କିଛି ଅର୍ଥ ରହିଛି ସେ ସବୁକୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ବ୍ୟବହାର କରାଯିବ ବୋଲି ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ନୂତନ ଗଭର୍ଣ୍ଣର କହିଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ବିଦେଶୀ ଋଣ ସୁଝିବା ସରକାରଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଛି । ଅନ୍ୟପକ୍ଷରେ ଦରଦାମ ବୃଦ୍ଧି ସହ ଆବଶ୍ୟକ ପରିମାଣ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନଥିବାରୁ ଦେଶବାସୀ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

Get real time updates directly on you device, subscribe now.